ବଜ୍ରପାତରେ ୪ ମୃତ ୨ ଗୁରୁତର

ଭୁବନେଶ୍ୱର,୧୦।୭: ରାଜ୍ୟର ପୃଥକ ପୃଥକ ସ୍ଥାନରେ ସୋମବାର ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୋଟିଏ ଘଟଣା ଅନୁଗୋଳ ଜିଲାରେ ଘଟିଥିବା ବେଳେ ଅନ୍ୟଟି କୋରାପୁଟ ଜିଲାରେ ଘଟିଛି। ୪ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।
ଅନୁଗୋଳ ଜିଲାରେ ବଜ୍ରପାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ମହିଳା ଦ୍ୱୟ ହେଉଛନ୍ତି ସୁଷମା ବେହେରା ଓ ପେନି ବେହେରା। ଆହତ ଦ୍ୱୟ ହେଉଛନ୍ତି ଅଜୟ ବେହେରା ଓ କୁଆଁରୀ ବେହେରା। ଏମାନେ ସମସ୍ତେ ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁର। ସେମାନେ ଶୁଖିଲା କାଠ ସଂଗ୍ରହ କରି ଫେରୁଥିବା ବେଳେ ଗାଁ ପାଖ ଆସପଣ୍ଡ ପାଖରେ ବଜ୍ରପାତ ହୋଇଥିଲା। ଫଳରେ ସୁଷମା ଓ ପେନିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଅଜୟ ଓ କୁଆଁରୀଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସେହିପରି କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକର ଅଞ୍ଚଳା ଗାଁରେ ବଜ୍ରପାତରେ ଜଣେ ମହିଳା ଓ ତାଙ୍କ ପୁଅଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଉକ୍ତ ଗାଁର ଲିଙ୍ଗରାଜ ହାଲବାଙ୍କ ପତ୍ନୀ ଦୁରୁବତୀ ହାଲବା ଓ ପୁଅ ଦୀପକ ହାଲବା। ସେମାନେ ଜମିରେ କାମ କରୁଥିଲେ। ବର୍ଷା ହେବା ସହିତ ଘଡ଼ଘଡ଼ି ମାରିବାରୁ ଦୁରୁବତୀଙ୍କ ସ୍ବାମୀ ଲିଙ୍ଗରାଜ ହାଲବା ଜମିରୁ ଯାଇ ଏକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ। ଦୁରୁବତୀ ଓ ଦୀପକ ସେଠାକୁ ଗଲା ବେଳେ ବଜ୍ରପାତରେ ସେମାନଙ୍କ ଜୀବନ ଚାଲି ଯାଇଥିଲା। ସେମାନଙ୍କୁ ବୋରିଗୁମ୍ମା ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Share