ଗର୍ଭବତୀଙ୍କୁ ୪ କି.ମି. ଚଲାଇନେଲେ

ଭବାନୀପାଟଣା,୧୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ପୁଣି ଜନନୀ ଯନ୍ତ୍ରଣାର ଏକ ଚିତ୍ର ସାମ୍‌ନାକୁ ଆସିଛି। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ୪ କି.ମି. ଚାଲି ଚାଲି ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭବାନୀପାଟଣା ସଦର ବ୍ଲକ ଚାଞ୍ଚେର ପଞ୍ଚାୟତ ପୋରଡଙ୍ଗଗୁଡ଼ା ଗ୍ରାମରେ।
ଗାଁର ଲିବ୍ରି ମାଝିଙ୍କ ସ୍ତ୍ରୀ ମାଣ୍ଡେ ମାଝିଙ୍କ ଶୁକ୍ରବାର ସକାଳୁ ଗର୍ଭ ଯନ୍ତ୍ରଣା ହେବାରୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ବାହାରିଥିଲେ। ଏହି ସମୟରେ ସେମାନେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। କିନ୍ତୁ ଗାଁକୁ ଯିବା ପାଇଁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଅଧାବାଟ ଗୁଡାଙ୍ଗ ପର୍ଯ୍ୟନ୍ତ ଆସି ଅଟକି ରହିଥିଲା। ଫଳରେ ଅନ୍ୟ କିଛି ଉପାୟ ନ ଥିବାରୁ ପରିବାର ଲୋକେ ମାଣ୍ଡେଙ୍କୁ ଚଲାଇ ଚଲାଇ ୪ କି.ମି. ଗୁଡାଙ୍ଗ ପର୍ଯ୍ୟନ୍ତ ଆଣିଥିଲେ। ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମଧ୍ୟାହ୍ନରେ ମାଣ୍ଡେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଜଣେ ଗର୍ଭବତୀଙ୍କୁ ୪ କି.ମି. ରାସ୍ତା ଚଲାଇନେବା ଘଟଣା ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ସୂଚନାଯୋଗ୍ୟ ଗତ ଫେବୃଆରୀରେ ଜୁନାଗଡ଼ ବ୍ଲକ ଦାସିଗାଁ ପଞ୍ଚାୟତର କିଞ୍ଜିକିନା ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଥିଲା। ଏଠାକାର ରାଇମତି ମାଝି ନାମ୍ନୀ ମହିଳାଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସ ଅଧାବାଟରେ ଅଟକି ରହିଥିଲା। ଫଳରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହିଳାଙ୍କୁ ୨ କି.ମି. ଖଟିଆରେ ବୋହି ଆଣୁଥିବା ସମୟରେ ବାଟରେ ପ୍ରସବ ହୋଇଥିଲା।

Share