Advertisement

ଗନ୍ଧମାର୍ଦ୍ଦନରେ ୪ ମାଓବାଦୀ କ୍ୟାମ୍ପ ଧ୍ୱଂସ

ବରଗଡ଼ ଅଫିସ୍‌,୧୦।୮: ବରଗଡ଼ ଜିଲାରେ ପୁଣି ମାଓବାଦୀଙ୍କ ଗତିବିଧି ପରିଲକ୍ଷିତ ହୋଇଛି। ଶନିବାର ଏସ୍‌ଓଜି ଏବଂ ସିଆର୍‌ପିଏଫ୍‌ ଯବାନମାନେ ଜିଲାର ପାଇକମାଳ ନିକଟ ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରୁଥିବା ବେଳେ ମାଓବାଦୀଙ୍କ ସହିତ ଗୁଳି ବିନିମୟ ହୋଇଥିଲା। ମାତ୍ର ଏଥିରେ କେହି ମାଓବାଦୀ ମୃତାହତ ହୋଇଥିବା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଯବାନଙ୍କ ଗୁଳିର ସମ୍ମୁଖୀନ ହୋଇ ନ ପାରି ସେମାନେ ଛତ୍ରଭଙ୍ଗ ଦେଇ ପଳାଇଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଅଫୁଟା ଗୁଳି, ୧୧ ଫୁଟା ଗୁଳି ସହିତ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଅପରପକ୍ଷେ ଯବାନଙ୍କ ଆକ୍ରମଣରେ ସେଠାରେ ରହିଥିବା ୪ ମାଓବାଦୀ କ୍ୟାମ୍ପ ଧ୍ୱସ୍ତବିଧ୍ୱସ୍ତ ହୋଇଛି। ଏ ନେଇ ପାଇକମାଳ ଥାନାରେ ଏକ ମାମଲା (ନଂ.୧୩୧/୨୦୨୦) ରୁଜୁ ହୋଇଛି।
ରବିବାର ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇ କହିଥିଲେ, ଗନ୍ଧମାର୍ଦ୍ଦନରେ ୧୦ରୁ୧୫ ସଶସ୍ତ୍ର ମାଓବାଦୀ ଅବସ୍ଥାନ କରି ହିଂସାତ୍ମକ କାଣ୍ଡ ଭିଆଇବାକୁ ଯୋଜନା ପ୍ରସ୍ତୁତ କରୁଥିଲେ। ସୂଚନା ପାଇ ବରଗଡ଼, ବଲାଙ୍ଗୀରର ଏସ୍‌ଓଜି ଏବଂ ସିଆର୍‌ପିଏଫ୍‌ ଯବାନମାନେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚଳାଇଥିଲେ। ଶନିବାର ସକାଳ ପ୍ରାୟ ସାଢ଼େ ୭ଟାରେ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରାୟ ଅଧଘଣ୍ଟା ଧରି ଗୁଳି ବିନିମୟ ପରେ ପ୍ରବଳ ବର୍ଷା ହେବାରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିଲେ।
ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି। ସର୍ଚ୍ଚ ଅପରେଶନ ଜାରି ରହିଛି। ଏହା ସରିବା ପରେ ମାଓବାଦୀମାନେ ମୃତାହତ ହୋଇଛନ୍ତି କି ନାହିଁ, ଏ ସମ୍ପର୍କରେ ଜଣାପଡ଼ିବ ବୋଲି ଏସ୍‌ପି କହିଥିଲେ। ଯବାନମାନଙ୍କ ପକ୍ଷରୁ ୭୨ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ମାଓବାଦୀମାନେ କେତେ ରାଉଣ୍ଡ ଗୁଳିଚାଳନା କରିଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ସମ୍ପୃକ୍ତ ମାଓବାଦୀମାନେ ବଲାଙ୍ଗୀର-ବରଗଡ଼-ମହାସମୁଦ ଡିଭିଜନ୍‌ର। ଘଟଣାସ୍ଥଳରୁ ମିଳିଥିବା ଟୋପିରୁ ସେମାନଙ୍କ ମଧ୍ୟରେ କ୍ୟାଡର ମାଓବାଦୀ ରହିଥିବା ଅନୁମାନ କରାଯାଉଛି ବୋଲି ସେ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share