ନାବାଳକଙ୍କ ସହ ଧରାପଡ଼ିଲେ ୪ ମାଓବାଦୀ

ମାଲକାନଗିର,୧୭ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦନ୍ତଓ୍ବୋଡା ଜିଲା ପୋଲିସ ଜଣେ ନାବାଳକଙ୍କ ସହ ୪ଜଣ ମାଓବାଦୀଙ୍କୁ ଗିରଫ କରିବା ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଗିରଫ ମାଓବାଦୀମାନେ ହେଲେ ବିଜାପୁର ଗ୍ରାମର ସୁବାସ କୁମାର କଡତି, ମନୋଜ କୁମାର ଓୟାମ, ରମେଶ କୁମାର ଓୟାମ। ଅନ୍ୟଜଣେ ନାବାଳକ ବୋଲି ଜଣାପଡିଛି।
ସୂଚନା ମୁତାବକ ସିଆର୍‌ପିଏଫ୍‌ ୨୩୧ ବାଟାଲିୟନ କୌଣସି ସୂତ୍ରରୁ ଖବର ପାଇ ଦନ୍ତଓ୍ବୋଡା ବସ୍‌ଷ୍ଟାଣ୍ଡକୁ ଏକ ଟିମ୍‌ ଯାଇଥିଲେ। ସେଠାରୁ ୪ ଜଣ ମାଓବାଦୀଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ୨୫ କେଜି ବିସ୍ଫୋରକ ସାମଗ୍ରୀ ସହ ୮୩ ହଜାର ଟଙ୍କା ଓ ମୋବାଇଲ ଫୋନ୍‌ ଜବତ କରାଯାଇଛି।
ଜବତ ସାମଗ୍ରୀଗୁଡିକ ମଧ୍ୟରୁ ୯ଟି ବିସ୍ଫୋରକ ଷ୍ଟିକ୍‌, ଦୁଇଟି ଟିଫିନ ବୋମା, ଦୁଇଟି ବନ୍ଧୁକ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ  ହୋଇଛି। ତେବେ ମାଓବାଦୀଙ୍କ ମଧ୍ୟରେ ସୁବାସ କୁମାର କଡତି ମିରତୁର ଡେକମେଟାର ଡିକେଏମ୍‌ଏସ୍‌ ସଦସ୍ୟ, ରମେଶ କୁମାର ଓୟାମ ବେଚାପାଲ ପଞ୍ଚାୟତର ମିଲିସିଆ ସଦସ୍ୟ, ମନୋଜ ଓୟାମ ବେଚାପାଲ ପଞ୍ଚାୟତ ସିଏନ୍‌ଏମ୍‌ ସଦସ୍ୟ ବୋଲି ଜଣାପଡଛି। ସମସ୍ତେ ୨ରୁ ୩ ବର୍ଷ ହେଲା ମାଓବାଦୀ ସଂଗଠନରେ କାର୍ଯ୍ୟ କରୁଥିବା ତଦନ୍ତରୁ ଜଣାପଡିଛି। ତେବେ ପୋଲିସ ଉପରେ ଆକ୍ରମଣ କରିବା ନିମନ୍ତେ ହାଇଦ୍ରାବାଦରୁ ଏହି ବିସ୍ଫୋରକ ସାମଗ୍ରୀ ଆଣିଥିବା ଜଣାପଡିଛି। ଗିରଫ ସମୟରେ ଦନ୍ତଓ୍ବୋଡା ଆଇଜି ବିଜୟ ପଟେଲ, ଡିଆଇଜି ହେମଶଙ୍କର ଗୁନେନ୍ଦଙ୍କ ସହ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।