Categories: ଜାତୀୟ

ଅମେଠିରେ ଦଳିତ ପରିବାରର ୪ ଜଣଙ୍କୁ ହତ୍ୟା

ଆମେଠି,୫ା୧୦(ପି.ଟି.): ଉତ୍ତରପ୍ରଦେଶର ଅମେଠିରେ ଜଣେ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ ଓ ୨ ଝିଅଙ୍କୁ ସେମାନଙ୍କ ଭଡ଼ାଘରେ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି। ସେମାନଙ୍କ ପ୍ରତି ଯଦି କୌଣସି କ୍ଷତି ଘଟେ, ତେବେ ରାଏବରେଲିର ଚନ୍ଦନ ବର୍ମା ଏଥିପାଇଁ ଦାୟୀ ରହିବେ ବୋଲି ପରିବାର ପକ୍ଷରୁ ମାସକ ତଳେ ପୋଲିସରେ ଅନୁସୂଚିତ ଜାତି/ଜନଜାତି ଆଇନରେ ଏତଲା ଦିଆଯାଇଥିଲା। କାରଣ ଶିକ୍ଷକଙ୍କ ସ୍ତ୍ରୀଙ୍କୁ ଚନ୍ଦନ ଅନେକ ସମୟରେ ଅପମାନିତ କରିବା ସହ ହଇରାଣ କରୁଥିଲେ। ତେବେ ଗୁରୁବାରର ହତ୍ୟାକାଣ୍ଡ ସହ ଉକ୍ତ ମାମଲାର ସମ୍ପୃକ୍ତି ରହିଛି କି ନାହିଁ, ତାହା ସ୍ପଷ୍ଟ ହୋଇ ନ ଥିବା ଅମେଠି ଏସ୍‌ପି ଅନୁପ କୁମାର ସିଂ କହିଛନ୍ତି। ମୃତକମାନେ ହେଲେ ସୁନୀଲ କୁମାର (୩୫), ତାଙ୍କ ସ୍ତ୍ରୀ ପୁନମ୍‌(୩୨) ଏବଂ ୬ ଓ ୧ ବର୍ଷ ବୟସର ୨ ଝିଅ। ସୁନୀଲଙ୍କ ଘର ରାଏବରେଲି ହୋଇଥିବାବେଳେ ସେ ଅମେଠିର ପନହୌନାରେ ଏକ ସରକାରୀ ସ୍କୁଲରେ ପୋଷ୍ଟିଂ ହୋଇଥିଲେ। ହତ୍ୟାକାଣ୍ଡର ତଦନ୍ତରେ ପୋଲିସ ସହ ସ୍ଥାନୀୟ ଗୋଇନ୍ଦା ୟୁନିଟ୍‌ ସ୍ପେଶାଲ ଅପରେଶନ ଗ୍ରୁପ୍‌ ସାମିଲ ହୋଇଛନ୍ତି। ପୁଅ ହତ୍ୟାକାରୀଙ୍କୁ ସମାନ ଦଶା ମିଳିବା ଆବଶ୍ୟକ ବୋଲି ସୁନୀଲଙ୍କ ବାପା ରାମଗୋପାଳ କହିଛନ୍ତି।
ହତ୍ୟା ଘଟଣାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିନ୍ଦା କରିଥିବାବେଳେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିରୋଧୀ ଦଳଗୁଡ଼ିକ ଭାଜପା ସରକାରକୁ ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଫୋନ୍‌ ଯୋଗେ ରାମଗୋପାଳଙ୍କ ସହ କଥା ହୋଇଛନ୍ତି। ରାମଗୋପାଳ ଶୁକ୍ରବାର ତାଙ୍କ ପୁଅବୋହୂ ଓ ୨ ନାତୁଣୀଙ୍କ ମୃତଦେହ ଧରି ରାଏବରେଲିର ସୁଦାମପୁରୀ ଗ୍ରାମରେ ପହଞ୍ଚତ୍ଥିଲେ। ରାହୁଲଙ୍କ ତରଫରୁ ଆମେଠି ଏମ୍‌ପି କିଶୋରୀ ଲାଲ୍‌ ସେଠାରେ ପହଞ୍ଚତ୍ ରାମଗୋପାଳଙ୍କୁ ରାହୁଲଙ୍କ ସହ ଫୋନ୍‌ରେ କଥା କରାଇଥିଲେ।

Share