ହଲ୍ଦଓ୍ବାନୀ, ୧୧।୧୦: ଭାଲୁ, ହରିଣ ଓ କଇଁଛ ଅଙ୍ଗ ଚୋରାଚାଲାଣ ସମୟରେ ୨ଟି ଭିନ୍ନ ଘଟଣାରେ ସପ୍ତାହକ ମଧ୍ୟରେ ଉତ୍ତରାଖଣ୍ଡ ବନ ବିଭାଗ ଓ ପୋଲିସ ପକ୍ଷରୁ ୪ ଜଣଙ୍କୁ ଗିରଫ କରାଯାଇଛି। ବାଗେଶ୍ୱର ଜିଲାରେ ରବିବାର ଭାଲୁ ଓ ହରିଣ ଶରୀରର କିଛି ଅଂଶ ଚୋରା ଚାଲାଣ ଅଭିଯୋଗରେ ପୋଲିସ ଜଣେ ଲୋକକୁ ଗିରଫ କରିଛି। ସୂଚନା ପାଇ ପୋଲିସ ଜିଲାର କପକୋଟ ଅଞ୍ଚଳରୁ ଚଢ଼ଉ କରି ଜଣେ ବ୍ୟକ୍ତିଙ୍କ ନିକଟରୁ ବାଇଲ ଭାଲୁ ଓ ହରିଣର କିଛି ଅଂଶ ଜବତ କରାଯାଇଥିଲା। ଯାହାର ଆନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଔଷଧୀୟ କାମରେ ବ୍ୟବହୃତ ପାଇଁ ଏହି ଜନ୍ତୁଗୁଡ଼ିକର ଅଙ୍ଗ ଚୋରା ଚାଲାଣ କରାଯାଉଥିବା ଜଣାପଡ଼ିଛି। ସେହିଭଳି ୟୁଏସ୍ ନଗର ଜିଲାର ରୁଦ୍ରପୁର ଅଞ୍ଚଳରେ ୪.୫ କେଜି ଦୁର୍ଲଭ ଫ୍ଲାସସେଲ କଇଁଛ ମାଂସ ଚୋରା ଚାଲାଣ ମାମଲାରେ ପୋଲିସ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ ଅନୁଯାୟୀ ସମସ୍ତଙ୍କୁ ଗିରଫ କରାଯାଇଛି।