ଦଲାଲ ଠକିନେଲେ ୪୦ ଲକ୍ଷ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ଅଧିକ ଲାଭ ଆଶାରେ ସେ ଶେୟାର ବଜାରରେ ଟଙ୍କା ବିନିଯୋଗ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଜଣେ ଦଲାଲଙ୍କୁ ୪୦ଲକ୍ଷ ଟଙ୍କା ଦେଇଥିଲେ। ତେବେ ଠକେଇର ଶିକାର ହେବାରୁ ଏହି ଟଙ୍କା ହରାଇଛନ୍ତି। ଫଳରେ ତାଙ୍କ ଆଶା ଧୁଳିସାତ୍‌ ହୋଇଯାଇଛି। ଏଭଳି ଠକେଇର ଶିକାର ହୋଇଛନ୍ତି ଡମଣା ଅଞ୍ଚଳର ଡାକ୍ତର ବୀରେନ୍ଦ୍ର କିଶୋର ଦାସ। ଏ ନେଇ ଡାକ୍ତର ଦାସ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଅଭିଯୋଗ ଅନୁଯାୟୀ, ନୀଳାଦ୍ରିବିହାର ଅଞ୍ଚଳରେ ଡାକ୍ତର ଦାସଙ୍କର ଏକ ହସ୍ପିଟାଲ ରହିଛି। ସମ୍ପୃକ୍ତ ଦଲାଲ ଜଣକ କିଛି ମାସ ତଳେ ତାଙ୍କ କାର୍ଯ୍ୟାଳୟକୁ ଆସି ଭେଟ କରିଥିଲେ। ଡାକ୍ତରଙ୍କୁ ମିଠା କଥା କହି ନିଜ ଜାଲରେ ଫସାଇଥିଲେ। ଡାକ୍ତରଙ୍କ ଗାଁ ବାଙ୍କୀ ଅଞ୍ଚଳରେ ସମ୍ପୃକ୍ତ ଦଲାଲଙ୍କ ଘର ହୋଇଥିବାରୁ ଡାକ୍ତର ତାଙ୍କୁ ବିଶ୍ୱାସ କରିଥିଲେ। ଏହାପରେ ଦଲାଲ ତାଙ୍କୁ ଶେୟାର ବଜାରରେ ଟଙ୍କା ଲଗାଇ ଲକ୍ଷାଧିକ ଟଙ୍କା ଲାଭ ପାଇବାର ଲୋଭ ଦେଖାଇ ଥିଲେ। ଶେୟାର ବଜାର ବିଷୟରେ ଡାକ୍ତର ଜଣଙ୍କ କିଛି ଜାଣି ନ ଥିବାରୁ ସେ ଏଥିରେ ଟଙ୍କା ବିନିଯୋଗ କରିବାକୁ ମନା କରିଦେଇଥିଲେ। କିନ୍ତୁ ଦଲାଲ ଜଣଙ୍କ ତାଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଆସିବା ସହ ଘରକୁ ଯାଇ ପରିବାର ଲୋକଙ୍କୁ ବୁଝାଇଥିଲେ। ଶେୟାର ବଜାରରେ ବିନିଯୋଗ କରିଥିବା ଅର୍ଥ ଉପରେ ସେମାନେ ୨୦ ପ୍ରତିଶତ ସୁଧ ପାଇବେ ବୋଲି କହିଥିଲେ। ଫଳରେ ଡାକ୍ତର ୨୩ଟି କିସ୍ତିରେ ୪୦ ଲକ୍ଷ ଟଙ୍କା ଦଲାଲଙ୍କୁ ଦେଇଥିଲେ। ଟଙ୍କା ପାଇବା ପରେ ଦଲାଲ ଜଣକ ଫେରାର ହୋଇଯାଇଥିଲେ। ଆଉ ଫୋନ୍‌ ଉଠାଇ ନ ଥିଲେ କି ଧରାଛୁଅଁା ଦେଇ ନ ଥିଲେ। ଶେଷରେ ଠକେଇର ଶିକାର ହୋଇଥିବା ଜାଣି ଡାକ୍ତର ଦାସ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Share