ଭୋପାଳ,୪।୧: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରିମଣ୍ଡଳରେ ରବିବାର ସମ୍ପ୍ରସାରଣ ହୋଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ତୁଳସୀରାମ ସିଲାଓ୍ବଟ ଏବଂ ଗୋବିନ୍ଦ ସିଂ ରାଜପୁତଙ୍କୁ ନୂଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସାମିଲ କରାଯାଇଛି। ଖାଲିଥିବା ୬ ମନ୍ତ୍ରୀ ପଦରୁ ଏବେ ଅବଶିଷ୍ଟ ୪ ପଦ ଖାଲି ରହିଛି। ମନ୍ତ୍ରୀପଦ ପାଇଁ ଭାଜପା ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଫଳରେ ଶିବରାଜଙ୍କ ଉପରେ ଚାପ ବୃଦ୍ଧି ପାଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଶିବରାଜଙ୍କ ସରକାରରେ ଜ୍ୟୋତିରାଦିତ୍ୟଙ୍କ ସମର୍ଥକଙ୍କୁ ସନ୍ତୁଷ୍ଟ କରାଇବା ଜାରି ରହିଥିବାବେଳେ ମୂଳ ଭାଜପା ନେତାଙ୍କୁ ଅଣଦେଖା କରାଯାଉଥିବା ଚର୍ଚ୍ଚା ହେଉଛି। ଜ୍ୟୋତିରାଦିତ୍ୟଙ୍କ ୨୨ ଜଣ ସମର୍ଥକଙ୍କ ମଧ୍ୟରୁ ଇତିମଧ୍ୟରେ ୧୪ ଜଣଙ୍କୁ ମନ୍ତ୍ରୀ ପଦ ମିଳିସାରିଛି। ଏହାକୁ ନେଇ ଦଳରେ ଫାଟ ବଢ଼ିବାରେ ଲାଗିଥିବା ଆଲୋଚନା ହେଉଛି।