
ପୁରୁଷୋତ୍ତମପୁର,୮।୪(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ଘଟିଛି। ମା’ଙ୍କ ଚୈତ୍ରମାସର ଶେଷ ଦର୍ଶନ ଲାଗି ପ୍ରବଳ ଜନସମାଗମ ହୋଇଥିବାବେଳେ ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର,ଆସିକା ବିଧାୟକ ସରୋଜ ପାଢୀ ଆସି ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।
ଆଗାମୀ ଦିନରେ କିପରି ଓଡିଶାବାସୀଙ୍କ ବିକାଶ ହେବା ସହ ଓଡିଶା ଆଗକୁ ଯିବ ସେଥିନେଇ କାମନା କରିଛନ୍ତି। ଏହାସହ ଓଡିଶାର ପ୍ରମୁଖ ଶକ୍ତିପୀଠଗୁଡିକୁ ନେଇ ଶକ୍ତି କରିଡର ନାମରେ ଯୋଡିବା ଓ ସଂଯୋଗୀକରଣ କରି ବାହାରୁ ଆସୁଥିବା ଭକ୍ତମାନଙ୍କୁ ଦର୍ଶନ କରିବାର ସୁଯୋଗ ଯୋଗାଇ ଦେବାର ଲକ୍ଷ୍ୟ ରହି ଯୋଜନା ପ୍ରସ୍ତୁତ କରାଯାଉଛି। ଏପରିକି ହେଲିକାପ୍ଟର ଦ୍ବାରା ମଧ୍ୟ ସମସ୍ତ ଶକ୍ତିପୀଠ ସଂଯୋଗୀକରଣ ଦର୍ଶନ ବ୍ୟବସ୍ଥା କରିବାର ଲକ୍ଷ୍ୟ ରହିଥିବା ନେଇ ଉପମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତୀ କହିଛନ୍ତି। ମନ୍ତ୍ରୀମାନଙ୍କ ଏହି ଗ୍ରସ୍ତ ସମୟରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା,ଏସପି ଶୁଭେନ୍ଦୁ କୁମାର ପାତ୍ର, ପୁରୁଷୋତ୍ତମପୁର ଏସଡିପିଓ ଡ.ଦୀପକ କୁମାର ମିଶ୍ର, ଆଇଆଇସି ରାଜେଶ କୁମାର ନାୟକ ପ୍ରମୁଖଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀମାନେ ଉପସ୍ତିତ ଥିଲେ।