୪ମାସ ପରେ ସାମ୍ନାକୁ ଆସିଲା ବଳାତ୍କାର ଘଟଣା

ଟିଟିଲାଗଡ଼,୧୮।୧: ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଜଣେ ଦଳିତ ଭିନ୍ନକ୍ଷମ ନାବାଳିକା ବଳାତ୍କାରର ଶିକାର ହୋଇଛନ୍ତି। ବଳାତ୍କାରର ପ୍ରାୟ ୪ମାସ ପରେ ନାବାଳିକା ଅନ୍ତସତ୍ତ୍ୱା ହେବା ପରେ ଘଟଣା ସାମନାକୁ ଆସିଛି। ପରିବାର ଲୋକେ ଏ ନେଇ ସୋମବାର ଟିଟିଲାଗଡ ଉପଜିଲାପାଳ ଏବଂ ପରେ ଥାନାରେ ଫେରାଦ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ମୁରିବାହାଲ ଥାନା ଅଞ୍ଚଳର ଜନୈକା ୧୪ ବର୍ଷର ନାବାଳିକା ଗତ ସେପ୍ଟେମ୍ବରରେ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା ଶିଶୁ ରୋଗ ୱାର୍ଡରେ ଅବସ୍ଥାନ କରୁଥିବା ସମୟରେ ବଳାତ୍କାରର ଶିକାର ହୋଇଛନ୍ତି। ନିଜ ଭିନ୍ନକ୍ଷମ ଭାଇଙ୍କ ଚିକିତ୍ସା ପାଇଁ ବୃଦ୍ଧା ମା’ଙ୍କ ସହିତ ଆସି ଶିଶୁ ୱାର୍ଡରେ ରହିଥିଲେ। ଦିନେ ରାତିରେ ସେ ଶୋଇଥିବା ବେଳେ ଜଣେ ଯୁବକ ତାଙ୍କୁ ଜୋର ଜବରଦସ୍ତି ଓ୍ବାର୍ଡ ପରିସରରେ ଥିବା ପାଇଖାନାକୁ ଉଠାଇ ନେଇ ବଳାତ୍କାର କରିଥିଲେ। କାହାକୁ କହିଲେ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲେ। ଏନେଇ ନାବାଳିକା ଜଣକ ଚୁପ୍‌ ରହିଥିଲେ। ତେବେ ଗତ ୧୬ ତାରିଖରେ ଅସୁସ୍ଥ ହେବା ପରେ ପରିବାର ଲୋକେ ତାଙ୍କୁ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ଡାକ୍ତର ନାବାଳିକା ଜଣକ ଗର୍ଭବତୀ ଥିବା ସ୍ପଷ୍ଟ କରିଥିଲେ। ଅଭିଯୁକ୍ତ ଆହାର କେନ୍ଦ୍ରର କର୍ମଚାରୀ ଏବଂ ସେ ଡାକ୍ତରଖାନା ରୋଗୀଙ୍କୁ ପ୍ରତିଦିନ ଖାଦ୍ୟ ପରଶୁଥିବା ଚିହ୍ନଟ ହୋଇଛନ୍ତି। ଏନେଇ ସୋମବାର ପୀଡିତା ନାବାଳିକାଙ୍କ ପରିବାର ଲୋକଙ୍କ ସହ ଟିଟିଲାଗଡ ଉପଜିଲାପାଳଙ୍କୁ ନ୍ୟାୟ ପାଇଁ ଫେରାଦ ହୋଇଥିଲେ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି। ଅବିଳମ୍ବେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସ୍ଥାନୀୟ କଂଗ୍ରେସ ଓ ଭାଜପା ପକ୍ଷରୁ ଦାବି କରାଯାଇଛି।

Share