ଚାଇନା ମାନଚିତ୍ରକୁ ଆଉ ୪ ଦେଶର ବିରୋଧ

ନୂଆଦିଲ୍ଲୀ,୨ା୯: ଚାଇନାର ନୂଆ ମାନଚିତ୍ରକୁ ଭାରତ ବିରୋଧ କରିବା ପରେ ଏବେ ମାଲେସିଆ, ଫିଲିପାଇନ୍ସ, ତାଇଓ୍ବାନ ଏବଂ ଭିଏଟ୍‌ନାମ ମଧ୍ୟ ଏହାକୁ ଭିତ୍ତିହୀନ ମାନଚିତ୍ର କହି କଡ଼ା ସମାଲୋଚନା କରିଛନ୍ତି। ନୂଆ ମାନଚିତ୍ରରେ ଦକ୍ଷିଣ ଚାଇନା ସାଗର ଏବଂ ଅନ୍ୟ କେତେକ ବିବାଦୀୟ ଅଞ୍ଚଳକୁ ଚାଇନାର ସାର୍ବଭୌମ ଭୂଖଣ୍ଡ ଭାବେ ଦର୍ଶାଯାଇଛି। ଏହି ବିବାଦୀୟ ମାନଚିତ୍ରରେ ଭାରତର ଅରୁଣାଚଳପ୍ରଦେଶ, ଡୋକଲାମ ସମେତ ଅକ୍ସାଇ ଚୀନ୍‌କୁ ଚାଇନାର ଅଂଶ ଭାବେ ଦେଖାଯାଇଛି। ସେହିପରି ଉତ୍ତରପୂର୍ବରେ ଥିବା ରୁଷିଆର ବୋଲଶୋଏ ଉସୁରିସ୍କି ଆଇଲାଣ୍ଡକୁ ଚାଇନା ନିଜର ବୋଲି ନୂଆ ମାନଚିତ୍ରରେ ଦର୍ଶାଇଛି। ଭିଏଟ୍‌ନାମର ସ୍ପ୍ରାଟ୍‌ଲି ଏବଂ ପରାସେଲ୍‌ ଆଇଲାଣ୍ଡ ସମେତ ଏହାର ଜଳରାଶିକୁ ଚାଇନା ନିଜର ବୋଲି ଦର୍ଶାଇଥିବାରୁ ସାର୍ବଭୌମତ୍ୱର ଉଲ୍ଲଂଘନ ହୋଇଥିବା ହାନୋଇ ଅଭିଯୋଗ କରିଛି। ମ୍ୟାପ୍‌ର ନାଇନ୍‌-ଡଟେଡ୍‌ ଲାଇନ ଉପରେ ଚାଇନାର ସାର୍ବଭୌମତ୍ୱ ଓ ସାମୁଦ୍ରିକ ଅଧିକାର ଅବୈଧ ବୋଲି ଭିଏଟ୍‌ନାମ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ଦକ୍ଷିଣ ଚାଇନା ସାଗରରେ ଚାଇନାର ସମ୍ପ୍ରସାରଣ ଦାବିକୁ ଫିଲିପାଇନ୍ସ ସ୍ବୀକୃତି ଦେବ ନାହିଁ ବୋଲି କହିଛି। ସେହିପରି ମାଲେସିଆ ଏବଂ ତାଇଓ୍ବାନ ସରକାର ସେମାନଙ୍କ ଅଞ୍ଚଳ ଉପରେ ବେଜିଂର ଦାବିକୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି। ନୂଆ ମ୍ୟାପ୍‌ ସମ୍ପର୍କରେ ଗତ ବୁଧବାର ବେଜିଂରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌ କହିଥିଲେ, ପ୍ରାସଙ୍ଗିକ ପକ୍ଷମାନେ ଅତ୍ୟଧିକ ବ୍ୟାଖ୍ୟା କରିବାରୁ ନିବୃତ୍ତ ରହିବା ତାଙ୍କ ସରକାର ଆଶା କରନ୍ତି।

Share