ସରକାରଙ୍କ କରୋନା ଚିନ୍ତା: ଗଞ୍ଜାମ ଜିଲାକୁ ଗଲେ ୪ ଡିଏସ୍‌ପି

କଟକ ଅଫିସ,୫।୭- ଗଞ୍ଜାମ ଜିଲାରେ ବଢୁଥିବା କରୋନା ସଂକ୍ରମଣ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ସରକାରଙ୍କ କଟକଣାକୁ ଲୋକମାନେ ମାନିବାରେ ଅବହେଳା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ଜିଲାକୁ ସ୍ବତନ୍ତ୍ର ଭାବେ ୪ ଜଣ ଡିଏସ୍‌ପିଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ସମ୍ବଲପୁର ପୋଲିସ ମୁଖ୍ୟାଳୟର ଡିଏସପି ହିମାଂଶୁ ଶେଖର ବେହେରା, କୋରାପୁଟ ସମନ୍ବିତ ମାନବ ଚାଲାଣ ନିରୋଧ ୟୁନିଟ(ଆଇଏଏଚ୍‌ଟିୟୁ)ର ଡିଏସ୍‌ପି ତପନ କୁମାର ମହାନନ୍ଦା, କଳାହାଣ୍ଡି ପୋଲିସ ମୁଖ୍ୟାଳୟର ଡିଏସ୍‌ପି ଗଣନିଧି ମଲ୍ଲିକ ଏବଂ କଟକ ସିଆଇଡି ସିବିର ଡିଏସ୍‌ପି ରିତେଶ କୁମାର ମହାପାତ୍ର। ଏମାନଙ୍କୁ ଗଞ୍ଜାମ ପୋଲିସ ଜିଲାର ୪ଟି ଉପଖଣ୍ଡ ପ୍ରଦାନ କରାଯାଇଛି। ହିମାଂଶୁ ଶେଖର ଆସିକା ସବ୍‌ଡିଭିଜନ, ତପନ କୁମାର ଭଞ୍ଜନଗର ଉପଖଣ୍ଡ, ଗୁଣନିଧି ଛତ୍ରପୁର ଉପଖଣ୍ଡ ଏବଂ ରିତେଶ କୁମାରଙ୍କୁ ପୁରୁଷୋତ୍ତମପୁର ଉପଖଣ୍ଡ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଅଫିସରମାନେ କଟକଣାକୁ ପାଳନ, ତନଖି ଫାଟକର ତଦାରଖ, ଶଟ୍‌ଡାଉନ୍‌ ଏବଂ ଲକ୍‌ଡାଉନ୍‌ର ଅନୁପାଳନ, ବଜାରରେ ସାମାଜିକ ଦୂରତା ରକ୍ଷା କରିବା, ବିଶୋଧନ, କଣ୍ଟେନମେଣ୍ଟ ଜୋନ୍‌, ପୋଲିସ ଅଧିକାରୀଙ୍କ ଆକ୍ରାନ୍ତ ସ୍ଥିତି ଭଳି କାର୍ଯ୍ୟର ତଦାରଖ କରିବେ।

Share