ପୂର୍ବତଟ ରେଳପଥରେ ଗଡ଼ିବ ଆଉ ୪ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୧୧।୧୦(ବ୍ୟୁରୋ): ପୂର୍ବତଟ ରେଳପଥ ଅଧୀନରେ ଆଉ ୪ଟି ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକ ପୁରୀରୁ ଭଲ୍‌ସାଦ, ସିକନ୍ଦରାବାଦରୁ ଶାଲିମାର, ବିଶାଖାପାଟଣାରୁ ତିରୁପତି ଓ ବିଶାଖାପାଟଣାରୁ ସିକନ୍ଦରାବାଦ୍‌ ଚଳାଚଳ କରିବ। ଭଲ୍‌ସାଦ-ପୁରୀ-ଭଲ୍‌ସାଦ ସାପ୍ତାହିକ ଏକ୍ସପ୍ରେସ (୦୯୨୦୯/୦୯୨୧୦) ଆସନ୍ତା ୧୫ ତାରିଖରୁ ଭଲସାଦରୁ ପ୍ରତି ଗୁରୁବାର ଛାଡ଼ିବ ଓ ୧୮ ତାରିଖରୁ ପ୍ରତି ରବିବାର ପୁରୀରୁ ବାହାରିବ। ଏହି ଟ୍ରେନ ପୁରୀରୁ ଭୁବନେଶ୍ୱର, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା, ବିଳାସପୁର ଓ ଜବଲପୁର ଦେଇ ଯିବ। ସେହିପରି ସିକନ୍ଦରାବାଦ-ସାଲିମାର-ସିକନ୍ଦରାବାଦ ସ୍ବତନ୍ତ୍ର ଟ୍ରେନ (୦୨୭୭୪/୦୨୭୭୩) ଆସନ୍ତା ୧୩ ତାରିଖରୁ ସିକନ୍ଦରାବାଦଠାରୁ ପ୍ରତି ମଙ୍ଗଳବାର ସକାଳ ୫ଟା ୪ରେ ଛାଡ଼ିବ ଓ ୧୪ରୁ ପ୍ରତି ବୁଧବାର ଅପରାହ୍ନ ୪ଟା ୫ରେ ଶାଲିମାରରୁ ବାହାରିବ। ଏହି ଟ୍ରେନ ଓ୍ବାରଙ୍ଗଲ, ରାୟନପାଡୁ, ସାମଲକୋଟ, ବିଶାଖାପାଟଣା, ବିଜୟନଗରମ୍‌, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ବାଲେଶ୍ୱର, ଖଡ଼ଗ୍‌ପୁର ଓ ସାନ୍ତ୍ରାଗାଚ୍ଛି ଆଦି ଷ୍ଟେଶନରେ ଅଟକିବ। ସିକନ୍ଦରାବାଦ-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌ (୦୨୭୮୪/୦୨୭୮୩) ଆସନ୍ତା ୧୭ ତାରିଖଠାରୁ ପ୍ରତି ଶନିବାର ଅପରାହ୍ନ ୫ଟା ୫୦ରେ ସିକନ୍ଦରାବାଦ ଷ୍ଟେଶନରୁ ଛାଡ଼ିବ ଓ ୧୮ ତାରିଖରୁ ପ୍ରତି ରବିବାର ସନ୍ଧ୍ୟା ୬ଟା ୫୫ରେ ବିଶାଖାପାଟଣାଠାରୁ ବାହାରିବ। ଉଭୟ ଷ୍ଟେଶନ ମଧ୍ୟରେ ଗୁଣ୍ଟୁର, ବିଜୟଓ୍ବାଡା, ଏଲୁରୁ, ରାଜମହେନ୍ଦ୍ରି, ସାମଲକୋଟ, ଅନକାପଲ୍ଲୀ ଓ ଦୁଧଓ୍ବାଡ଼ା ଷ୍ଟେଶନରେ ରହଣି କରିବ। ଶେଷରେ ତିରୁପତି-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ (୦୨୭୦୮/୦୨୭୦୭) ଆସନ୍ତା ୧୪ରୁ ତିରୁପତିଠାରୁ ପ୍ରତି ବୁଧବାର, ଶୁକ୍ରବାର ଓ ରବିବାର ରାତି ୯ଟା ୫୦ରେ ଛାଡ଼ିବ ଓ ୧୭ ତାରିଖଠାରୁ ବିଶାଖାପାଟଣାଠାରୁ ପ୍ରତି ଗୁରୁବାର, ଶନିବାର ଓ ସୋମବାର ରାତି ୧୦ଟା ୫୦ରେ ଛାଡ଼ିବ ବୋଲି ପୂର୍ବତଟ ରେଳପଥ ଶନିବାର ସୂଚନା ଦେଇଛି।

Share