Categories: ଖେଳ

ଭାରତୀୟ କ୍ୟାମ୍ପରେ ଓଡ଼ିଶା ଏଚ୍‌ପିସିର ୪

ଭୁବନେଶ୍ୱର, ୨।୮(ତପନ ସ୍ବାଇଁ): ରାଉରକେଲାଠାରେ ଚଳିତ ମାସ ୨୧ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ସବ୍‌ଜୁନିୟର ହକି ଶିବିର ଅନୁଷ୍ଠିତ ହେବ। ଏହି ଶିବିର ପାଇଁ ହକି ଏସ୍‌ ଫାଉଣ୍ଡେଶନ ଅଧୀନରେ ପରିଚାଳିତ ହେଉଥିବା ଏକାଡେମୀଗୁଡ଼ିକରୁ ୭ ଜଣ ପ୍ରତିଭାବାନ କ୍ୟାଡେଟ୍‌ ମନୋନୀତ ହୋଇଛନ୍ତି। ଟାଟା ଏସ୍‌ ଫାଉଣ୍ଡେଶନ ଦ୍ୱାରା ପରିଚାଳିତ ଭୁବନେଶ୍ୱରର ଓଡ଼ିଶା ନାଭାଲ ଟାଟା ହକି ହାଇପର୍‌ଫର୍ମାନ୍ସ ସେଣ୍ଟର (ଓଏନ୍‌ଟିଏଚ୍‌ଏଚ୍‌ପିସିର) ଓ ଏକାଡେମୀ-ଜାମସେଦପୁରର ନାଭାଲ ଟାଟା ହକି ଏକାଡେମୀ (ଏନ୍‌ଟିଏଚ୍‌ଏ)ରେ ଏହି ଖେଳାଳିମାନେ ପ୍ରଶିକ୍ଷଣ ପାଇଛନ୍ତି। ୭ କ୍ୟାଡେଟଙ୍କ ମଧ୍ୟରୁ ଭୁବନେଶ୍ୱରର ଓଏନ୍‌ଟିଏଚ୍‌ଏଚ୍‌ପିସିର ୪ ଜଣ ଖେଳାଳି ରହିଛନ୍ତି। ସେମାନେ ହେଲେ ପ୍ରଦୀପ ମଣ୍ଡଳ, ୟୋଜିନ୍‌ ମିଞ୍ଜ୍‌, ରୋହିତ କୁଲୁ ଓ ସୁରେଶ ଶର୍ମା। ଶିବିର ପାଇଁ ମନୋନୀତ ଫାଉଣ୍ଡେଶନର ଅନ୍ୟ ୩ ଖେଳାଳି ହେଲେ ରୋହିତ ତିର୍କୀ, ରୋହିତ ପ୍ରଧାନ ଓ ଘୁରନ ଲୋହରା।
ହକି ଏସ୍‌ ଫାଉଣ୍ଡେଶନ ମିଳିତ ଭାବେ ଟାଟା ଟ୍ରଷ୍ଟ୍‌ସ ଓ ଟାଟା ଷ୍ଟିଲ୍‌ ଦ୍ୱାରା ପରିଚାଳିତ ହେଉଛି। ହକି ଏସ୍‌ ଫାଉଣ୍ଡେଶନର ଅଧ୍ୟକ୍ଷ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, ”ଭାରତୀୟ ସବ୍‌ଜୁନିୟର ହକି ଶିବିର ପାଇଁ ଆମର ୭ ପ୍ରତିଭାବାନ୍‌ କ୍ୟାଡେଟ୍‌ ମନୋନୀତ ହୋଇଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ। ଏହି ସଫଳତା ଆମ ପ୍ରଶିକ୍ଷକ ଓ କ୍ୟାଡେଟ୍‌ମାନଙ୍କ କଠିନ ପରିଶ୍ରମ ଓ ସମର୍ପଣ ଭାବକୁ ପ୍ରତିଫଳିତ କରୁଛି। ଦକ୍ଷତା ପ୍ରଦର୍ଶନ ଏବଂ ଜାତୀୟ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବା ପାଇଁ ସବ୍‌ ଜୁନିୟର ଶିବିର ଏହି ଯୁବ ଖେଳାଳିମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସଦୃଶ“। ଓଡ଼ିଶା ନାଭାଲ ଟାଟା ହକି ହାଇପର୍‌ଫର୍‌ମାନ୍ସ ସେଣ୍ଟର ହେଉଛି ଏକ ଅତ୍ୟାଧୁନିକ ହାଇପର୍‌ଫର୍ମାନ୍ସ ୟୁନିଟ୍‌, ଯାହା ହକି ପ୍ରତିଭାମାନଙ୍କୁ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ମାଧ୍ୟମରେ ସମୃଦ୍ଧ କରୁଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଅବସ୍ଥିତ ଏହି ଏକାଡେମୀକୁ ଓଡ଼ିଶା ସରକାର, ଟାଟା ଷ୍ଟିଲ୍‌ ଓ ଟାଟା ଟ୍ରଷ୍ଟସ୍‌ (ହକି ଏସ୍‌ ସେଣ୍ଟର)ର ମିଳିତ ସହଯୋଗରେ ୨୦୧୯ ଅଗଷ୍ଟରେ ଗଠନ କରାଯାଇଥିଲା। ଏକ ଆବାସିକ କାର୍ଯ୍ୟକ୍ରମ ଅଧୀନ ଉଭୟ ବାଳକ ଓ ବାଳିକା କ୍ୟାଡେଟ୍‌ଙ୍କ ଆବଶ୍ୟକତାକୁ ଏହି ଏଚ୍‌ପିସି ପୂରଣ କରୁଥିବା ବେଳେ ୬ ଜଣ ଜୁନିୟର ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୃଷ୍ଟି କରିପାରିଛି।

Share