ନନ୍ଦନକାନନକୁ ଆସିଲେ ୪ ଓଟପକ୍ଷୀ

ବାରଙ୍ଗ,୨୨।୯(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁରୁବାର ଅପରାହ୍ନରେ ହାଇଦ୍ରାବାଦରୁ ଗୋଟିଏ ଅଣ୍ଡିରା ଓ ୩ଟି ମାଈ ଓଟପକ୍ଷୀ ଅଣାଯାଇଛି। ଫଳରେ ଏହି ପ୍ରଜାତିର ଓଟପକ୍ଷୀ ସଂଖ୍ୟା ନନ୍ଦନକାନନରେ ବୃଦ୍ଧି ପାଇଛି। ବେଗମ୍‌ପେଟସ୍ଥିତ ଏକ ସଂସ୍ଥାରୁ ଉପହାର ସ୍ବରୂପ ଏହି ନୂଆ ଅତିଥିଙ୍କୁ ୮ଲକ୍ଷ ଟଙ୍କା ବାଟ ଖର୍ଚ୍ଚ କରି ନନ୍ଦନକାନନ କର୍ତ୍ତୃପକ୍ଷ ଆଣିଛନ୍ତି। ଏହି ନୂଆ ଅତିଥି ପ୍ରାଣୀ ଉଦ୍ୟାନକୁ ଆସିବା ପରେ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସେମାନଙ୍କର ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହାପରେ ସେମାନଙ୍କୁ ନନ୍ଦନକାନନ ନୂତନ କ୍ୱାରେଣ୍ଟାଇନର ପୃଥକୀକରଣ ଏନ୍‌କ୍ଲୋଜରରେ ଛଡ଼ାଯାଇଛି। ପୂର୍ବରୁ ପ୍ରାଣୀ ଉଦ୍ୟାନରେ ୭୧ନମ୍ବର(କ) ଏନ୍‌କ୍ଲୋଜରରେ ୨ଟି ଅଣ୍ଡିରା ଓଟପକ୍ଷୀ ଥିଲେ। ଏହି ଓଟପକ୍ଷୀ ନିଜ ବାଟ ଖର୍ଚ୍ଚରେ ଆଣିବାକୁ ନନ୍ଦନକାନନ ସୋସାଇଟିର ଗତ ଶେଷ ସାଧାରଣ ବୈଠକରେ ନିଷ୍ପତ୍ତି ହୋଇଥିଲା ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ୍‌ ନାରାୟଣ କହିଛନ୍ତି। ତେବେ ଏହି ପ୍ରଜାତିର ଓଟପକ୍ଷୀ ୪୦ରୁ ୪୫ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ପାରନ୍ତି। ଏମାନେ ୨ରୁ ୪ବର୍ଷରେ ପ୍ରାପ୍ତ ବୟସ୍କ ହୋଇ ମାର୍ଚ୍ଚରୁ ଅପ୍ରେଲ ମାସ ମଧ୍ୟରେ ପ୍ରଜନନ ଋତୁରେ ମାଈ ଓଟପକ୍ଷୀଟି ୮ରୁ ୧୦ଟି ଅଣ୍ଡା ଦେଇଥାଏ।