Categories: ଜାତୀୟ

ବ୍ଲାକମେଲର ଗ୍ୟାଙ୍ଗ ଚଳାଉଥିଲା ପୋଲିସ

ଭୋପାଳ,୨।୭: ମଧ୍ୟପ୍ରଦେଶର ହୋଶାଙ୍ଗବାଦରେ ଜୋରଜବରଦସ୍ତ ଚାନ୍ଦା ଆଦାୟ କରିବା ଲାଗି ଗ୍ୟାଙ୍ଗ ଚଳାଉଥିବା ଅଭିଯୋଗରେ ୪ ଜଣ ପୋଲିସ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ସୁନିତା ଠାକୁର ନାମକ ଜଣେ ମହିଳାଙ୍କ ସହ ମିଶି ଏସ୍‌ଆଇ ଜୟ ନାଲ୍ବାୟା, ହେଡ୍‌ କନଷ୍ଟେବଳ ଜ୍ୟୋତି ମାନ୍‌ଝି, କନଷ୍ଟେବଳ ମନୋଜ ବର୍ମା ଓ ତାରାଚନ୍ଦ ଜାତାବ ଏକ ବ୍ଲାକମେଲ ର଼୍ୟାକେଟ ଚଳାଉଥିଲେ।

ଉକ୍ତ ମହିଳା ପ୍ରଥମେ ଲୋକଙ୍କ ଅଶ୍ଳୀଳ ଭିଡିଓ ସୁଟ୍‌ କରୁଥିଲେ। ପରେ ପୋଲିସ କର୍ମୀ ସେମାନଙ୍କୁ ବ୍ଲାକମେଲ୍‌ କରୁଥିଲେ। ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଛି। ତାଙ୍କ ସହ ଗ୍ୟାଙ୍ଗରେ ଥିବା ପୋଲିସ କର୍ମୀଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ହୋଶାଙ୍ଗାବାଦ ଏସ୍‌ପି ସନ୍ତୋଷ ସିଂ ଗୌର କହିଛନ୍ତି।

ଗତ ସପ୍ତାହରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଠାକୁର ଓ ତାଙ୍କ ସହଯୋଗୀଙ୍କ ନାମରେ ଅଭିଯୋଗ କରିଥିଲେ ଜଣେ ପୀଡ଼ିତ। ଅଭିଯୋଗକାରୀ ଦର୍ଶାଇଥିଲେ, ଉକ୍ତ ମହିଳା ତାଙ୍କୁ ହୋଟେଲକୁ ନେଇ ଅଶ୍ଳୀଳ ଭିଡିଓ ସୁଟ୍‌ କରିଥିଲେ। ପରେ ତାଙ୍କଠାରୁ ଦାବି କରୁଥିଲେ ୫ ଲକ୍ଷ ଟଙ୍କା।

ଘଟଣାର ତଦନ୍ତ ପରେ ମହିଳାଙ୍କୁ ଗିରଫ କରାଯାଇଥିଲା। ପଚରାଉଚୁରାରୁ ଜଣାପଡ଼ିଛି, ବ୍ଲାକମେଲ୍‌ କରୁଥିବା ଗ୍ୟାଙ୍ଗରେ କାର୍ଯ୍ୟରତ ପୋଲିସ ଅଛନ୍ତି। ସେମାନଙ୍କୁ ଗତ ୨୪ ତାରିଖରେ ସସ୍‌ପେଣ୍ଡ କରି ଦିଆଯାଇଥିଲା। ଗୁରୁବାର ସେମାନଙ୍କୁ ପୋଲିସ ଚାକିରିରୁ ବହିଷ୍କାର କରାଯାଇଛି। ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡ଼ିଛି, ସେମାନେ ୮ ଜଣ ଲୋକଙ୍କୁ ଚୂନା ଲଗାଇଥିଲେ।

 

Share