୪୬୪.୭୨ କୋଟିର ୪ ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦେଉଛନ୍ତି ସରକାର। ରାଜ୍ୟରେ ମେଟାଲ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଆଦି ୪ଟି ଶିଳ୍ପ କ୍ଷେତ୍ରରେ ୪୬୪.୭୨ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଏଥିରେ ୮୭୩ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଅନୁମୋଦନ କରାଯାଇଛି।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଗାଲାକ୍ସ ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ୍‌ ଲିମିଟେଡ ଖୋର୍ଦ୍ଧା ଜିଲାର ମଳିପଡା ଠାରେ ୯୩ କୋଟି ଟଙ୍କା ବ୍ୟୟରେ ଏକ ମଧ୍ୟମ ସାନ୍ଦ୍ରତାବିଶିଷ୍ଟ ଫାଇବର ବୋର୍ଡ(ଏମ୍‌ଡିଏଫ୍‌) ସ୍ଥାପନ କରିବ। ବାର୍ଷିକ ଏଥିରେ ୭୨ ହଜାର କ୍ୟୁବିକ ମିଟର ଉତ୍ପାଦନ ହେବ। ଏହି କାରଖାନାରେ ୩୧୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। ସେହିପରି ଖୋର୍ଦ୍ଧା ଓ ନୟାଗଡ଼ ଜିଲାରେ ଦୈନିକ ୧୨୦ କିଲୋଲିଟର ଡିଷ୍ଟିଲେରି ୟୁନିଟ୍‌ ସ୍ଥାପନ ହେବ। ଏଥିସହିତ ୪ ମେଗାଓ୍ବାଟ୍‌ ଶକ୍ତି ପ୍ରକଳ୍ପ ସ୍ଥାପନ ହେବ। ଏଥିରେ ପ୍ରାୟ ୧୫୧.୭୨ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବ ଏବଂ ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏନ୍‌ଭିରୋକେୟାର ଇନ୍‌ଫ୍ରାସଲ୍ୟୁଶନ ପ୍ରାଇଭେଟ୍‌ ଲିମିଟେଡ ସୁନ୍ଦରଗଡ଼ ଜିଲାର ଲାଠିକଟା ଠାରେ ୧.୬ ନିୟୁତ ଟନ୍‌ କ୍ଷମତାବିଶିଷ୍ଟ ପେଲେଟ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୧୯୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ଏନ୍‌ଭିରୋକେୟାର ଇନ୍‌ଫ୍ରାସଲ୍ୟୁଶନ ପ୍ରାଇଭେଟ ଲିମିଟେଡ୍‌ ସୁନ୍ଦରଗଡ଼ ଜିଲାର ଲାଠିକଟା ଠାରେ ବାର୍ଷିକ ୪ ନିୟୁତ ଟନ୍‌ର ସ୍ଲରି ପାଇପ ଲାଇନ ପ୍ରକଳ୍ପ ସ୍ଥାପନ କରିବ। ଏଥିରେ ୧୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୬୮ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।
୨୦୨୦ ଫେବୃୟାରୀରୁ ରାଜ୍ୟ ସରକାର ୧,୧୯,୨୧୪.୭୨ କୋଟି ଟଙ୍କାର ପୁଞ୍ଜିନିବେଶକୁ ଆକୃଷ୍ଟ କରିପାରିଛନ୍ତି। ଏଥିରେ ୫୪,୧୩୧ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଥିବା ବୈଠକରେ ସୂଚନା ଦିଆଯାଇଛି ।

Share