କେନ୍ଦୁପତ୍ର ବାନ୍ଧିବାକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଲେ ୪ ବ୍ୟକ୍ତି

କେନ୍ଦୁଝର,୨୨।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀ ଉପଦ୍ରବ ଥମିବାର ନା ନେଉନି। ଆମ୍ବ, ପଣସ ଖାଇବାକୁ ହାତୀ ଗାଁ ମୁହାଁ ହେଉଛନ୍ତି। ଏପରି କି ହାତୀ ଉପଦ୍ରବ ଯୋଗୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏଣେ ବନ କର୍ମଚାରୀ ଧର୍ମଘଟ କରି ଜଙ୍ଗଲକୁ ଯାଉ ନ ଥିବା ବେଳେ ଲୋକ ହାତୀ ଆକ୍ରମଣର ଶୀକାର ହେଉଛନ୍ତି। ଦୁଇଟି ପୃଥକ ସ୍ଥାନରେ ଗୁରୁବାର ହାତୀ ଆକ୍ରମଣରେ ୪ଜଣ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ହେଁ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ସେମାନେ ଗରିବ ଶ୍ରେଣୀର ହୋଇଥିବା ବେଳେ କେନ୍ଦୁପତ୍ର ତୋଳି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଆହତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ସେମାନେ ହେଲେ କୁଣ୍ଢେଇହତା ଗ୍ରାମର ହେମନ୍ତ ସେଠୀ(୩୮), ଦିତିକୃଷ୍ଣ ଦେହୁରୀ (୩୭), ଗୋପୀନାଥ ଦେହୁରୀ (୫୫) ଓ ମଲଣ୍ଡା ଗ୍ରାମର ଚୁଡ଼ିଆ ମୁଣ୍ଡା(୫୭)। ହେମନ୍ତ ଓ ଚୁଡିଆଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି।

ମିଳିଥିବା ସୂଚନା ମୁତାବକ, କୁଣ୍ଢେଇହତା ଗ୍ରାମର ୩ଜଣ ଗୁରୁବାର ସକାଳେ ପୁରୁଷୋତ୍ତମପୁର ଫଡ଼ି କେନ୍ଦ୍ରକୁ କେନ୍ଦୁପତ୍ର ବାନ୍ଧିବାକୁ ସାଇକେଲ ଯୋଗେ ଯାଉଥିଲେ। ସେତିକିବେଳେ ଏକ ଦନ୍ତା ହାତୀ ରାସ୍ତା ଉପରକୁ ଚାଲିଆସିଥିଲା। ଫଳରେ ସେମାନେ ସାଇକେଲ ଛାଡ଼ି ପ୍ରାଣ ବିକଳରେ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ହେମନ୍ତ ହାତୀ ହାବୁଡ଼ରେ ପଡିଯାଇଥିଲା। ହାତୀ ତାଙ୍କୁ ଶୁଣ୍ଢରେ ଟେକି ଫୋପାଡି ଦେଇଥିଲା। ଫଳରେ ସେ ଏକ ବୁଦାରେ ପଡ଼ିଥିଲେ। ହାତୀଟି ତାଙ୍କୁ ଦେଖି ନ ପାରି ରାଗରେ ତାଙ୍କ ସାଇକେଲକୁ ଦଳି ଦେଇଥିଲା। ଗ୍ରାମବାସୀଙ୍କ ପାଟି ଶୁଣି ହାତୀ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ଅନ୍ୟ ଦୁଇ ଜଣ ଖଣ୍ଡିଆ ଖାବରା ହୋଇ ଧାଇଁ ପକାଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସେହିପରି ଅନ୍ୟ ଏକ ଘଟଣାରେ ମାଲଣ୍ଡା ଗ୍ରାମର ଚୁଟିଆ ମୁଣ୍ଡା ବନ୍ଧନଝରି ଗ୍ରାମ ନିଜ ଚାଷ ଜମିକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ବିଭାଗ କର୍ମଚାରୀ ଉଦ୍ଧାର କରି ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।