ବାଘ ଆକ୍ରମଣରେ ୪ ଗୁରୁତର, ଗଡ଼ ଗାଁରେ ଆତଙ୍କ

ଖଇରା,୮ା୬(ଉତ୍କଳବନ୍ଧୁ ପଣ୍ଡା): ଶନିବାର ଅପରାହ୍ନରେ ବାଲେଶ୍ୱର ଜିଲା ଖଇରା ବ୍ଲକ ନୟାଖଣ୍ଡି  ପଞ୍ଚାୟତ ଅଧୀନ ଗଡ଼ ଗ୍ରାମରେ ଏକ ବାଘ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ମହିଳା ଜଣକ ହେଲେ ଗ୍ରାମର ଗଣନାଥ ନାୟକଙ୍କ ସ୍ତ୍ରୀ ସତ୍ୟଭାମା(୫୦) ଓ ତାଙ୍କ ପୁଅ ରଧାକାନ୍ତ। ଗ୍ରାମର ଟଙ୍କଧର କେସି ଓ ଅନ୍ୟ ଜଣେ ମଧ୍ୟ ଗୁରୁତର ହୋଇଛନ୍ତି। ସୋମାନଙ୍କୁ ପ୍ରଥମେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଛି। ଅପରାହ୍ନରେ ସତ୍ୟଭାମା ପୁଅ ଓ ସ୍ବାମୀଙ୍କ ସହ ଘର ନିକଟସ୍ଥ ବାଡ଼ିରେ କାମ କରୁଥିବା ସମୟରେ ବାଘଟି ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣ ପରେ ସେ ଚିତ୍କାର କରିବାରୁ ନିକଟରେ ଥିବା ତାଙ୍କ ପୁଅ ଓ ସ୍ବାମୀ ପାଟି କରି ତାଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ବାଘଟି ସେଠାରୁ ଗର୍ଜନ କରି ଗ୍ରାମଭିତରକୁ ପଳାଇଥିଲା। ଗ୍ରାମବାସୀ ଏକତ୍ର ହୋଇ ବାଘଟିକୁ ଗୋଡ଼ାଇବାରୁ ବାଘଟି କେଉଁଠାରେ ଲୁଚି ଯାଇଥିଲା। ଖବରପାଇ କୁପାରୀ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ନିକଟରେ ଥିବା ଏକ ବଣରେ ବାଘକୁ ଖୋଜାଖୋଜି କରୁଥିଲେ। ଏହି ସମୟରେ ବାଘଟି ପୁନର୍ବାର ସତ୍ୟଭାମାଙ୍କ ଘରକୁ ଆସି ତାଙ୍କ ପୁଅ ରାଧାକାନ୍ତ (୨୦)ଙ୍କୁ ଆକ୍ରମଣ କରିବା ସହ ସେଠାରେ ଉପସ୍ଥିତ ଥିବା ଟଙ୍କଧର କେସି (୫୫) ଓ ଅନ୍ୟଜଣକୁ ଆକ୍ରମଣ କରି ପୁନର୍ବାର କୌଣସି ବୁଦାମୂଳରେ ଲୁଚି ଯାଇଥିଲା। ଏହା ଏକ କଲରାପତିଆ ବାଘ ବୋଲି ସନ୍ଦେହ କରାଯାଉଛି। ଏବେ ଗ୍ରାମରେ ଭୟ ଓ ଆତଙ୍କ ଖେଳି ଥିବାବେଳେ ବାଘକୁ ଧରିବା ଲାଗି ଉଭୟ ଗ୍ରାମବାସୀ ଓ ବନ କର୍ମଚାରୀ ପ୍ରୟାସ ଚଳାଇଛନ୍ତି।

Share