ଚିନି ଭାବି ୟୁରିଆ ଖାଇ ୪ଗୁରୁତର

ଦେବଗଡ଼,୨୩ା୭(ଡି.ଏନ୍‌.ଏ): ଚିନି ଭାବି ୟୁରିଆ ସାର ଖାଇଦେବାରୁ ୩ ଶିଶୁ ଓ ଜଣେ ବୃଦ୍ଧା ଗୁରୁତର ଅସୁସ୍ଥ ହୋଇଛନ୍ତି। ଶୁକ୍ରବାର ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡା ଗ୍ରାମରେ। ଗୁରୁତର ୪ଜଣ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁଯାୟୀ, ବମ୍ପରଡା ଗ୍ରାମର ସନ୍ତୋଷ ବେହେରାଙ୍କୁ ଚାଷକାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ତାଙ୍କ ଘରକୁ ଉକ୍ତ ଗ୍ରାମରେ ରହୁଥିବା ଝିଅ କୁନ୍ତଳା, ତଅପୋଇ ଏବଂ ଅନୁଗୋଳ ଜିଲାର ପୁଡାଗଡ଼ ଗ୍ରାମରେ ରହୁଥିବା ଝିଅ କୈକେୟୀ ଗୋଚ୍ଛାୟତ ଆସିଥିଲେ। ଶୁକ୍ରବାର ପହ୍ଲା ମାରିବା, ପହ୍ଲା ରୁଆ କାମ ଥିବାରୁ ତିନିଝିଅ କୁନ୍ତଳା, ତଅପୋଇ ଓ କୈକେୟୀ ମା’ ଯମୁନା(୬୦)ଙ୍କ ଜିମାରେ ପିଲାଙ୍କୁ ଛାଡିଦେଇ ବାପାଙ୍କ ସହ ଚାଷଜମିକୁ ଯାଇଥିଲେ। ଏହି ସମୟରେ କୁନ୍ତଳାଙ୍କ ପୁଅ ପିଙ୍କୁ (୫ବର୍ଷ), କୈକେୟୀଙ୍କ ଝିଅ ସୁଷମା (୧୫ମାସ) ଓ ତଅପୋଇଙ୍କ ଝିଅ ଅରୁଣି (୧୩ମାସ) ଚିନି ଭାବି ଘରେ ଥିବା ବସ୍ତାରୁ ୟୁରିଆ ସାର ବାହାର କରି ଚୁଡାରେ ପକାଇ ଖାଇଦେଇଥିଲେ। ତେବେ ଚୁଡା ପିତା ଲାଗିବାରୁ ପିଙ୍କୁ ଏକଥା ଆଈ ଯମୁନାଙ୍କୁ ଜଣାଇବା ସହ ବାନ୍ତି କରିଥିଲେ। ଫଳରେ ଯମୁନା ପିଙ୍କୁ ଖାଉଥିବା ଚୁଡାକୁ ପରୀକ୍ଷାମୂଳକ ଭାବେ ଖାଇ ବାନ୍ତି କରିଥିଲେ। ଏହା ପରେ ଅନ୍ୟ ୨ ଶିଶୁକନ୍ୟା ମଧ୍ୟ ବାନ୍ତି କରିଥିଲେ। ଏହି ସମୟରେ କୁନ୍ତଳା, ତଅପୋଇ ଓ କୈକେୟୀ ଖାଇବା ପାଇଁ ଘରକୁ ଫେରିବାରୁ ଛୁଆମାନେ ଚିନି ଭାବି ୟୁରିଆ ସାର ଖାଇଦେଇଥିବା ଜାଣିବାକୁ ପାଇଥିଲେ। ଫଳରେ ୪ଜଣଙ୍କୁ ବମ୍ପରଡା ଡାକ୍ତରଖାନାକୁ ଚିକିତ୍ସା ଲାଗି ନିଆଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।

Share