କଟକ ଅଫିସ,୫।୪: କଟକ ସହରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି। ହେଲେ ଗାଇଡ୍ଲାଇନ ଠିକ୍ଭାବେ ପାଳନ କରାଯାଉ ନ ଥିବାରୁ ରବିବାର ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କଟକ ବଜ୍ରକବାଟି ରୋଡ ସ୍ଥିତ ବିଶାଲ ମେଗାମାର୍ଟ, ବାଦାମବାଡି ସ୍ଥିତ ଭରତିଆ ଟାୱରଠାରେ ଥିବା ଦୁଇଟି ଦୋକାନ ଏବଂ ବକ୍ସିବଜାର ସ୍ଥିତ ଦୁଇଟି ସର୍ବତ ଦୋକାନରେ ରବିବାର ସିଏମ୍ସି ଏନଫୋର୍ସମେଣ୍ଟ ସ୍କ୍ବାଡ ପକ୍ଷରୁ ସିଲ୍ କରାଯାଇଛି। ଏଥିସହ ବଜ୍ରକବାଟି ରୋଡସ୍ଥିତ ଶ୍ରୀଲେଦର୍ସ ଦୋକାନ ଓ ଦୋଳମୁଣ୍ଡାଇସ୍ଥିତ ମଧୁକୁଞ୍ଜ ମଦ ଦୋକାନରୁ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ମାସ୍କ ନ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ନ କରିବା, ଆବଶ୍ୟକତାଠାରୁ ଅଧିକ ଲୋକଙ୍କ ଉପସ୍ଥିତି ଯୋଗୁ ଏନଫୋର୍ସମେଣ୍ଟ ସ୍କ୍ବାଡ ଏବଂ ପୋଲିସ ପକ୍ଷରୁ ଚଢାଉ କରାଯାଇ ଉକ୍ତ ଶପିଙ୍ଗ ମଲ, ଦୋକାନ ସିଲ୍ କରାଯାଇଛି। ଅନ୍ୟପକ୍ଷରେ ଗୋଟିଏ ଦିନରେ ସହରର ବିଭିନ୍ନ ଦୋକାନରେ ଚଢାଉ କରାଯାଇ ୨୦,୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଅଧିକାରୀ ପରେଶ କୁମାର ନାୟକ କହିଛନ୍ତି।