ଘରୋଇ କଲେଜ ହଷ୍ଟେଲରୁ ୪ ଛାତ୍ର ନିଖୋଜ

କେନ୍ଦୁଝର,୨୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଗୁମୁରାରେ ଥିବା ଏକ ଘରୋଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହଷ୍ଟେଲରୁ ଶୁକ୍ରବାର ୪ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏନେଇ ସେମାନଙ୍କ ପରିବାର ଓ ଶିକ୍ଷାନୁଷ୍ଠାନ ପକ୍ଷରୁ ଶନିବାର ସନ୍ଧ୍ୟାରେ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି। ଅନୁଷ୍ଠାନ ମୁଖ୍ୟ ଜିତେନ କ୍ରିଷ୍ଣା ଦାନ କହିଛନ୍ତି, ହରିଚନ୍ଦନପୁର ବ୍ଲକ୍‌ର ଚନ୍ଦନ ପରିଡ଼ା, ସଦର ବ୍ଲକ୍‌ର ଧର୍ମନନ୍ଦନ ମହାନ୍ତ, ଯଯାତି କେଶରୀ ମହାନ୍ତ ଓ ନିରଞ୍ଜନ ମହାନ୍ତ ହଷ୍ଟେଲରେ ରହି ଯୁକ୍ତ ୨ ବିଜ୍ଞାନରେ ପାଠ ପଢୁଥିଲେ। ଶୁକ୍ରବାର ରାତିରେ ୪ଜଣ ପିଲା ହଷ୍ଟେଲରୁ କାହାକୁ ନ ଜଣାଇ ପଳାଇଯାଇଛନ୍ତି। ଏଣୁ ସେମାନଙ୍କ ଅଭିଭାବକମାନେ ଅଭିଯୋଗ କରିବାକୁ ଆସିଛନ୍ତି। ସେ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଟାଉନ ଥାନାରେ ଏନେଇ ଲିଖିତ ଭାବେ ଜଣାଇଛନ୍ତି। ଅଭିଭାବକ ଭାନୁମତି ପରିଡ଼ା କହିଛନ୍ତି, ତାଙ୍କ ପୁଅ ଏହି ସ୍କୁଲରେ ପଢୁଥିଲେ। ସେ ଅନ୍ୟମାନଙ୍କ ସହିତ ନିଖୋଜ ହୋଇଯାଇଥିବା ସ୍କୁଲ କର୍ତ୍ତୃପକ୍ଷଠାରୁ ଖବରପାଇ ଥାନାରେ ଜଣାଇଛୁ। ଅନ୍ୟ ଜଣେ ଅଭିଭାବକ ଅଚ୍ୟୁତ ପରିଡ଼ା କହିଛନ୍ତି, ତାଙ୍କ ପୁଅ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ସେ ନିଖୋଜ ହୋଇଥିବା ଖବର ସ୍କୁଲରୁ ମିଳିବା ପରେ ହଷ୍ଟେଲରେ ପହଞ୍ଚତ୍ ଖୋଜାଖୋଜି କରିଥିଲେ। ନ ପାଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଟାଉନ ଥାନା ଅଧିକାରୀ ସୁନୀଲ କର କହିଛନ୍ତି, ଅଭିଭାବକ ଏବଂ ସ୍କୁଲ ପକ୍ଷରୁ ପିଲାମାନେ ନିଖୋଜ ହୋଇଥିବା ନେଇ ଅଭିଯୋଗ ମିଳିଛି। ଏନେଇ ତଦନ୍ତ ଆରମ୍ଭ କରାଯାଇଛି। ଅନୁଷ୍ଠାନ ସିସିଟିଭି କ୍ୟାମେରା, ମୋବାଇଲ କଲ୍‌ ଯାଞ୍ଚ, ଅନ୍ୟ ପିଲାଙ୍କ ମତାମତ ନିଆଯିବ। ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରାଯିବ।

Share