Categories: ଜାତୀୟ

ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରରେ ଦୁଇଟି ଭିନ୍ନ ଭିନ୍ନ ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୪ ଆତଙ୍କବାଦୀ। ଦକ୍ଷିଣ କଶ୍ମୀରର ଗୋପାଲପୋରା ଓ ପୋମବାଇ ଗାଁରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଅଛନ୍ତି ଆତଙ୍କବାଦୀ ସଂଗଠନ ରେଜିଷ୍ଟାନ୍ସ ଫୋର୍ସ (ଟିଆର୍‌ଏଫ୍‌) କମାଣ୍ଡର ଅଫାକ୍‌ ସିକନ୍ଦର।

ଗତ ସୋମବାର ଶ୍ରୀନଗରର ହାଇଡରପୋରା ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀଙ୍କ ସହ ନିହତ ହୋଇଥିଲେ ଦୁଇ ସାଧାରଣ ନାଗରିକ। ପୋଲିସ ଉଭୟଙ୍କୁ ଆତଙ୍କବାଦୀଙ୍କ ସହାୟକ କହୁଥିବା ବେଳେ ଏହାକୁ ମୃତକଙ୍କ ପରିବାର ସଦସ୍ୟ ଖଣ୍ଡନ କରିବାରୁ ବିବାଦ ସୃଷ୍ଟି ହୋଇଛି। ଅନ୍ତିମ ସଂସ୍କାର ପାଇଁ ସେମାନେ ମୃତକଙ୍କ ମୃତଦେହ ଦାବି କରିଥିଲେ। କିନ୍ତୁ ଆଇନ ଓ ଶୃଙ୍ଖଳା ପରିସ୍ଥିତି କାରଣରୁ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇ ପାରିବ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ସେହି ଏନ୍‌କାଉଣ୍ଟର ପୂର୍ବରୁ ଲସ୍କର-ଇ-ତୋଇବା (ଏଲ୍‌ଇଟି)ର ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ପାଖରୁ ୨ଟି ଆଇଇଡି ବୋମା ମିଳିଥିଲା। ଫଳରେ ଉପତ୍ୟାକାରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ରୋକା ଯାଇପାରିଥିଲା।

Share