Categories: ଜାତୀୟ

ଦୁଧଓ୍ବାରେ ପରସ୍ପର ମଧ୍ୟରେ ଲଢ଼େଇ, ସଂକ୍ରମଣ ଯୋଗୁ ହୋଇଥିଲା ୪ ବାଘଙ୍କ ମୃତ୍ୟୁ: ରିପୋର୍ଟ…

ଲକ୍ଷ୍ନୌ,୧୩।୭ : ଉତ୍ତରପ୍ରଦେଶର ଦୁଧୱା ଟାଇଗର ରିଜର୍ଭରେ ଦୁଇମାସ ମଧ୍ୟରେ ମୃତ୍ୟୁ ଘଟିଥିବା ୪ ବାଘଙ୍କ ପୋଷ୍ଟମର୍ଟମ ଅନୁସନ୍ଧାନ ରିପୋର୍ଟରେ ସେମାନଙ୍କ ମୃତ୍ୟୁର କାରଣ ଜଣାପଡିଛି। ଜଣେ ବନ ଅଧିକାରୀ କହିଛନ୍ତି ୨୧ ଏପ୍ରିଲ ୨୦୨୩ରୁ ୯ ଜୁନ ୨୦୨୩ ମଧ୍ୟରେ ଚାରି ବୟସ୍କ ବାଘଙ୍କ ମୃତ୍ୟୁ ଘଟିଥିଲା। ସେଥିମଧ୍ୟରେ ତିନି ବାଘ ଏବଂ ଗୋଟିଏ ବାଘୁଣୀ ଥିଲେ। ଏହି ଘଟଣା ୟୁପି ସରକାରଙ୍କୁ ତଦନ୍ତ ଆରମ୍ଭ କରିବାକୁ ଏବଂ ଦାୟିତ୍ୱ ରେ ଥିବା ଅଧିକାରୀମାନଙ୍କୁ ସ୍ଥାନାନ୍ତର କରିବାକୁ ବାଧ୍ୟ କରିଥିଲା। ପ୍ରାଥମିକ ଅନୁସନ୍ଧାନରେ ବାଘ ମାନଙ୍କର ପାଟ୍ରୋଲିଂ ଏବଂ ମନିଟରିଂରେ ତ୍ରୁଟି ଦେଖାଦେଇଛି।

ବରେଲି ଡିଭିଜନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ପୋଷ୍ଟମର୍ଟମରୁ ଜଣାପଡିଛି ମୃତ୍ୟୁ ପ୍ରାକୃତିକ କାରଣ ଯୋଗୁ ହୋଇଛି। ପୃଥକ ପୃଥକ କ୍ଷେତ୍ରରେ, ଅନ୍ୟ ବାଘମାନଙ୍କ ସହ ଲଢ଼଼ିବା ସମୟରେ ଆହତ ହୋଇ ଦୁଇ ବାଘଙ୍କର ମୃତ୍ୟୁ ଘଟିଥିଲା। ଏହି ପ୍ରକ୍ରିୟାରେ ଅନ୍ୟ ବାଘମାନେ ଆହତ ହୋଇଥିଲେ ଏବଂ ପୁନରୁଦ୍ଧାର ପ୍ରକ୍ରିୟା ଚାଲିଛି। ଏହି ଲଢ଼େଇ ବନ୍ୟ ପ୍ରାଣୀମାନଙ୍କର ପ୍ରାକୃତିକ ଗୁଣର ଏକ ଅଂଶ । ବାଘମାନଙ୍କ ମଧ୍ୟରେ ବହୁ ସମୟରେ ବିବାଦ ଘଟିଥାଏ।

ଏହି ବାଘମାନଙ୍କ ମଧ୍ୟରେ ଲଢ଼େଇ ମିଳନ କିମ୍ବା ଅଞ୍ଚଳ ଅଧିକାର ନେଇ ସୃଷ୍ଟି ହୋଇଥାଏ। ଫଳସ୍ବରୂପ ଲଢ଼େଇ ପରେ ଆଘାତ ଯୋଗୁ ମୃତ୍ୟୁ ଘଟିଥାଏ। ଅଧିକାରୀଙ୍କ କହିବାନୁସାରେ, ସଂକ୍ରମଣ ଯୋଗୁଁ ଅନ୍ୟ ଦୁଇ ବାଘଙ୍କର ମୃତ୍ୟୁ ହୋଇଥିଲା, ବିଶେଷକରି ଯେତେବେଳେ ସେମାନଙ୍କର ପ୍ରତିରୋଧକ ଶକ୍ତି ଦୁର୍ବଳ ଥାଏ କିମ୍ବା ଭାଇରାଲ ସଂକ୍ରମଣରେ ପୀଡ଼ିତ ହୋଇଥିବା ସମୟରେ ଏଭଳି ହୋଇଛି।

Share