Posted inଜାତୀୟ

୪ରୁ ୩ ପଦ୍ମ

ନୂଆଦିଲ୍ଲୀ, ୪ା୧୨(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୩ ହିନ୍ଦୀଭାଷୀ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି (ଭାଜପା) ବିପୁଳ ବିଜୟ ଲାଭକରି ସରକାର ଗଠନ ଦିଗରେ ଅଗ୍ରସର ହୋଇଥିବାବେଳେ ତେଲଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ର ଦୁର୍ଗ ଭୁଶୁଡ଼ିଛି। ସେଠାରେ କଂଗ୍ରେସ କ୍ଷମତାସୀନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ ଓ ଗ୍ୟାରେଣ୍ଟି ଆଗରେ ଫିକା ପଡ଼ିଯାଇଛି କଂଗ୍ରେସର ମନଲୋଭା ପ୍ରତିଶ୍ରୁତି। ମଧ୍ୟପ୍ରଦେଶରେ ଭାଜପା ଦୁଇତୃତୀୟାଂଶ ବହୁମତ ହାସଲ ସହ ସ୍ଥିତାବସ୍ଥା ବଜାୟ ରଖିଛି। ଏଠି କଂଗ୍ରେସ ନେତା କମଲନାଥଙ୍କ ମୁଖ୍ୟମନ୍ତ୍ରୀ ଆଶା ପୁନର୍ବାର ମଉଳିଯାଇଛି। ରାଜସ୍ଥାନ ଭୋଟର ପାଳି କରି ଦୁଇ ବୃହତ୍‌ ଜାତୀୟ ଦଳ ଭାଜପା ଓ କଂଗ୍ରେସକୁ ସରକାର ଗଢ଼ିବା ସୁଯୋଗ ପ୍ରଦାନ ନେଇ ୩ ଦଶନ୍ଧିର ପରମ୍ପରାକୁ ବଜାୟ ରଖିଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଯାଦୁ ଆଉ କାମ କରିନାହିଁ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ନିର୍ବାଚନର କିଛିମାସ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଟି.ଏସ୍‌. ସିଂହଦେଓଙ୍କ ମଧ୍ୟରେ କ୍ଷମତା ପାଇଁ ଟଣାଓଟରା ସାଙ୍ଗକୁ ମହାଦେବ ଆପ୍‌ ଜରିଆରେ ଜନତାଙ୍କ ଅର୍ଥ ଲୁଟ୍‌ ଅଭିଯୋଗ ଶାସକ କଂଗ୍ରେସକୁ ଧରାଶାୟୀ କରିଛି। ଫଳରେ ୫ ବର୍ଷ ପରେ ଭାଜପା ପୁଣି ସରକାର ଗଠନ ପାଇଁ ସୁଯୋଗ ପାଇଛି। ତେଲଙ୍ଗାନା ଗଠନ ହେବା ପରଠୁ ଦୀର୍ଘ ୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଆସିଥିବା କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କଠାରୁ କ୍ଷମତା ଛଡ଼ାଇବାରେ ସଫଳ ହେବା କଂଗ୍ରେସ ପାଇଁ କିଛି ମାତ୍ରାରେ ଆଶ୍ୱସ୍ତି ଆଣିଦେଇଛି। ଏହାସତ୍ତ୍ୱେ ୨୦୨୪ ସାଧାରଣ ନିର୍ବାଚନର ସେମି ଫାଇନାଲ କୁହାଯାଉଥିତ୍ବା ସଦ୍ୟ ଜନାଦେଶ ସର୍ବପୁରାତନ ଦଳକୁ ଆହୁରି ଆମତ୍ସମୀକ୍ଷାର ଆବଶ୍ୟକତା ଥିବା ସନ୍ଦେଶ ଦେଇଛି। କେବଳ ଏତିକି ନୁହେଁ, ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଲକ୍‌ର ଭବିଷ୍ୟତ ଉପରେ ମଧ୍ୟ ଏହି ପରିଣାମ ପ୍ରଶ୍ନଚିହ୍ନ ଲଗାଇଛି। ଅନ୍ୟପକ୍ଷେ କଂଗ୍ରେସ ଜନାଦେଶକୁ ସମ୍ମାନର ସହ ଗ୍ରହଣ କରିଥିବାବେଳେ ଆଗାମୀ ଲୋକ ସଭା ନିର୍ବାଚନରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି।
ନଭେମ୍ବର ୭ ଓ ୧୭ ଦୁଇଟି ପର୍ଯ୍ୟାୟରେ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ୧୭ ତାରିଖରେ ଏମ୍‌ପିର ୨୩୦, ୨୫ରେ ରାଜସ୍ଥାନର ୧୯୯ ଓ ୩୦ରେ ତେଲଙ୍ଗାନା ବିଧାନସଭାର ୧୧୯ ଆସନ ପାଇଁ ମତଦାନ ହୋଇଥିଲା। ଏହି ୪ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ଭୋଟ ଗଣତି ରବିବାର ସକାଳ ୮ଟାରେ ଆରମ୍ଭ ହୋଇଥିଲା। ୩୦ ସନ୍ଧ୍ୟାରେ ପ୍ରକାଶିତ ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଭାଜପା ବିଜୟୀ ହେବା ଏବଂ ଛତିଶଗଡ଼ ସହ ତେଲଙ୍ଗାନାରେ କଂଗ୍ରେସ ସରକାର ଗଠନର ସଙ୍କେତ ମିଳିଥିଲା।
କିନ୍ତୁ ଭାଜପା ୩ ହିନ୍ଦୀଭାଷୀ ରାଜ୍ୟ ଦଖଲ କରିବାକୁ ଯାଉଛି ବୋଲି ଗଣତି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲଗାତର ଭାବେ ରହିଆସିଥିବା ଟ୍ରେଣ୍ଡ୍‌ ସୂଚାଇଦେଇଥିଲା। ଛତିଶଗଡ଼ ବିଧାନସଭାକୁ ପଦ୍ମଦଳ ଦଖଲ କରିବାର ସ୍ପଷ୍ଟ ସଙ୍କେତ ସମସ୍ତଙ୍କୁ ଚକିତ କରିଦେଇଥିଲା।
ନିର୍ବାଚନ ଅନୁଷ୍ଠିତ ହୋଇଥିବା ସବୁଠୁ ବଡ଼ ରାଜ୍ୟ ହେଉଛି ମଧ୍ୟପ୍ରଦେଶ। ଏଠାରେ ସରକାର ବିରୋଧୀ ହାଓ୍ବା ବହୁଥିବା ପ୍ରଚାର ଯୋଗୁ କ୍ଷମତାସୀନ ଭାଜପା ଶିବରାଜ ସିଂ ଚୌହାନଙ୍କୁ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରି ନ ଥିଲା। ୧୮ ଏମ୍‌ପି ଏବଂ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ବିଧାୟକ ପ୍ରାର୍ଥୀ କରାଯିବା ପରେ ଭାଜପାର ରଣନୀତିକୁ ବୁଝିପାରି ନ ଥିଲେ ଅନେକ ରାଜନୈତିକ ବିଶ୍ଳେଷକ। କିନ୍ତୁ ୩ ଥର ମୁଖ୍ୟମନ୍ତ୍ରୀ ଥିବା ଶିବରାଜଙ୍କ ଅକ୍ଳାନ୍ତ ପ୍ରଚାର, ତାଙ୍କ ସରକାରର ଜନକଲ୍ୟାଣକାରୀ ଯୋଜନା ଏବଂ ସର୍ବୋପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ସହ ତୋଫାନୀ ଗସ୍ତ ସବୁ କଳ୍ପନାଜଳ୍ପନାରେ ରୋକ୍‌ ଲଗାଇଦେଲା। ନିର୍ବାଚନ କମିଶନଙ୍କ ଓ୍ବେବ୍‌ସାଇଟ୍‌ରେ ପ୍ରଦତ୍ତ ତଥ୍ୟାନୁସାରେ ଏମ୍‌ପିର ମୋଟ୍‌ ୨୩୦ ଆସନ ମଧ୍ୟରୁ ଭାଜପା ୧୬୩ ଆସନ ଦଖଲ କରିଛି, ଯାହାକି ୨୦୧୮ ତୁଳନାରେ ୫୪ ଅଧିକ। ମ୍ୟାଜିକ୍‌ ନମ୍ବର ୧୧୬ଠାରୁ ୪୭ ଅଧିକ ଆସନ ଦଖଲ କରିବା ପରେ ମାମୁ (ଶିବରାଜଙ୍କୁ ଶ୍ରଦ୍ଧାରେ ସମ୍ବୋଧନ) ବିଜୟର ଶ୍ରେୟ ଭଉଣୀ, ଭାଣିଜୀ ଓ ଭଣଜା (ଏମ୍‌ପି ଭୋଟର) ଏବଂ ପ୍ରଧାନମନ୍ତ୍ରୀଙ୍କ ଡବଲ ଇଞ୍ଜିନ ବିକାଶ କାର୍ଯ୍ୟକ୍ରମକୁ ଦେଇଛନ୍ତି। ଅନ୍ୟପକ୍ଷେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମଧ୍ୟପ୍ରଦେଶ କଂଗ୍ରେସ କମିଟି (ଏମ୍‌ପିସିସି) ଅଧ୍ୟକ୍ଷ କମଲନାଥଙ୍କୁ ଫଳାଫଳ ଝଟ୍‌କା ଦେଇଛି। ୭୭ ବର୍ଷୀୟ କମଲନାଥ ଛିନ୍ଦଓ୍ବାଡ଼ା ଆସନରେ ବିଜୟୀ ହୋଇଥିଲେ ମଧ୍ୟ ତାଙ୍କ ଆଶା ଆଶାରେ ରହିଗଲା। ଆଉ ୫ ବର୍ଷ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏହି ଭେଟେରାନ୍‌ଙ୍କ ବର୍ଦ୍ଧିତ ବୟସକୁ ଦେଖି କଂଗ୍ରେସ ତାଙ୍କୁ ଆଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଇ ନ ପାରେ। ତେଣୁ ୨୦୧୮ ଡିସେମ୍ବରରୁ ୧୫ ମାସ ଧରି ମୁଖ୍ୟମନ୍ତ୍ରୀ ଚୌକିରେ ଆସୀନ ହେବା ସମ୍ଭବତଃ ତାଙ୍କ ପାଇଁ କ୍ଷମତାର ଶେଷ ପାଳିଥିଲା।
ଉତ୍ତର ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ରାଜସ୍ଥାନରେ ଦୀର୍ଘ ୩୦ ବର୍ଷ ହେଲା ଭୋଟର କୌଣସି ଦଳକୁ ଲଗାତର ଦୁଇଥର ସରକାର ଗଢ଼ିବାକୁ ସୁଯୋଗ ଦେଇନାହାନ୍ତି। ଥରେ କଂଗ୍ରେସ ଓ ଆର ଥରକୁ ଭାଜପା ଜିତିଆସିଛି। ୨୦୧୮ ନିର୍ବାଚନରେ କଂଗ୍ରେସ ସରକାର ଗଢ଼ିବା ପରଠୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଆଭ୍ୟନ୍ତରୀଣ ବିଦ୍ରୋହର ସାମ୍ନା କରିଆସିଥିଲେ। ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ବିକ୍ଷୋଭ, ଧାରଣା, ଶୋଭାଯାତ୍ରା, ଦିଲ୍ଲୀ ଧାଇଁବା ଆଦି ଗେହଲଟ୍‌ଙ୍କ ମୁଣ୍ଡବ୍ୟଥା ବଢ଼ାଇଦେଇଥିଲା। ଇତିମଧ୍ୟରେ ସେ ଅନେକ ଜନକଲ୍ୟାଣକାରୀ ଯୋଜନା ଗଢ଼ି ଯୁବ, ମହିଳା, କୃଷକଙ୍କ ସମେତ ସବୁ ବର୍ଗର ଭୋଟରଙ୍କୁ ଆକର୍ଷିତ କରିବାକୁ ପ୍ରାଣପଣେ ଉଦ୍ୟମ କରିଥିଲେ। କଂଗ୍ରେସ ହାଇକମାଣ୍ଡଙ୍କ ହସ୍ତକ୍ଷେପ ଯୋଗୁ ଗେହଲଟ୍‌ଙ୍କ ଆସନ ବର୍ତ୍ତିଯାଇଥିଲା ସିନା, ମୋଦିଙ୍କ ଲୋକପ୍ରିୟତା ଆଗରେ ଯାଦୁକରଙ୍କ ଯାଦୁ ଆଉ କାମ କରି ନ ଥିଲା। ନିର୍ବାଚନ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ସହ ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ରାଜସ୍ଥାନ ଭୋଟରଙ୍କ ମନରୁ ସନ୍ଦେହ ଦୂରକରି ନୂଆପ୍ରାଣ ଭରିଦେଇଥିଲା। ଏପରି କି ଫଳାଫଳ ଆସିବା ପୂର୍ବରୁ ସମ୍ଭାବ୍ୟ ବିଜୟୀ ଓ ବିଦ୍ରୋହୀ ବିଧାୟକ ପ୍ରାର୍ଥୀମାନଙ୍କ ସହ ବସୁନ୍ଧରାଙ୍କ ଯୋଗାଯୋଗ ରାଜ୍ୟରେ ପଟ୍ଟ ପରିବର୍ତ୍ତନର ଆଭାସ ଦେଇଥିଲା। ତେବେ ରବିବାର ପରିଣାମ ଆସିବା ପରେ ମୁଖ୍ୟମନ୍ତ୍ରୀ ଦୌଡ଼ ପାଇଁ କସରତ ବଢ଼ିଯାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ନାଥ ସମ୍ପ୍ରଦାୟର ଆବାଳ ସନ୍ନ୍ୟାସୀ ମହନ୍ତ ବାଳକନାଥଙ୍କ ନାମ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାର ସର୍ବାଗ୍ରେ ରହିଛି। ୪୦ ବର୍ଷୀୟ ଅଲ୍‌ଓ୍ବର ଏମ୍‌ପି ବାଲକନାଥ ତିଜାରା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ଇମ୍ରାନ୍‌ ଖାନ୍‌ଙ୍କୁ ୬,୧୭୩ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି। ୨୦୨୪କୁ ଦୃଷ୍ଟିରେ ରଖି ମୋଦି ତାଙ୍କୁ ମୁଖ୍ୟମନ୍ତ୍ରୀ କଲେ ଶାସନ କ୍ଷମତାର ଶୀର୍ଷରେ ଆଉ ଜଣେ ମହନ୍ତଙ୍କ ଅଭ୍ୟୁଦୟର ସାକ୍ଷୀ ହେବ ଭାରତୀୟ ରାଜନୀତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବ୍‌ତ୍‌ ଓ ଅନ୍ୟ କେତେଜଣ ମଧ୍ୟ ଦୌଡ଼ରେ ଥିବା କୁହାଯାଉଛି। ରାଜସ୍ଥାନରେ ଭାଜପାକୁ ୧୧୫ ଆସନ ମିଳିଛି, ଯାହାକି ଗତ ନିର୍ବାଚନ ତୁଳନାରେ ୪୨ ଅଧିକ। ମ୍ୟାଜିକ୍‌ ନମ୍ବର ୧୦୦ ହୋଇଥିବାବେଳେ କଂଗ୍ରେସ ୬୯ରେ ସୀମିତ ରହିଯିବା ଦଳୀୟ କନ୍ଦଳର ପ୍ରକୃତ ସମାଧାନ ଓ ସଙ୍ଗଠନକୁ ତଳୁ ଠିକ୍‌ କରିବା ଆବଶ୍ୟକତାର ଗୁରୁତ୍ୱ ସମ୍ପର୍କରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
କଂଗ୍ରେସକୁ ସବୁଠୁ ବେଶି ଝଟ୍‌କା ଦେଇଥିତ୍ବା ରାଜ୍ୟ ହେଉଛି ଛତିଶଗଡ଼। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପଟନ ଆସନରେ ନିଜ ପୁତୁରା ତଥା ଭାଜପା ଏମ୍‌ପି ବିଜୟ ବଘେଲଙ୍କଠାରୁ ଜିତିଯାଇଥିଲେ ମଧ୍ୟ ରାଜ୍ୟରେ କଂଗ୍ରେସ ଶାସନକୁ ବଞ୍ଚାଇପାରି ନାହାନ୍ତି। ଉପମୁଖ୍ୟମନ୍ତ୍ରୀ ଟି.ଏସ୍‌. ସିଂହଦେଓ ଓ ଗୃହମନ୍ତ୍ରୀ ତାମ୍ବ୍ରଧ୍ୱଜ ସାହୁଙ୍କ ସମେତ ୯ ବରିଷ୍ଠ ମନ୍ତ୍ରୀ ପରାଜୟର ମୁହଁ ଦେଖିଛନ୍ତି। ୯୦ ଆସନ ବିଶିଷ୍ଟ ବିଧାନସଭା ଦଖଲ କରିବା ପାଇଁ ୪୬ଟିରେ ବିଜୟ ଆବଶ୍ୟକ। କିନ୍ତୁ କଂଗ୍ରେସ ମାତ୍ର ୩୫ଟିରେ ସୀମିତ ହୋଇଯାଇଛି। ଭାଜପା ପ୍ରାର୍ଥୀମାନେ ୫୪ ଆସନରେ ଜିତି ଛତିଶଗଡ଼ରେ ୫ ବର୍ଷ ପରେ ପୁନର୍ବାର ପଦ୍ମ ଫୁଟାଇବାରେ ସକ୍ଷମ ହୋଇଛନ୍ତି। ୩ ଥର ମୁଖ୍ୟମନ୍ତ୍ରୀ ହୋଇସାରିଥିବା ଡକ୍ଟର ରମଣ ସିଂ ଏଥର ବି ଦୌଡ଼ରେ ଆଗୁଆ ଥିବାବେଳେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ବରିଷ୍ଠ ନେତା ଅଭୟରାମ ସାଓଙ୍କ ପୁଅ ଅରୁଣ ସାଓ ଏବଂ ଅବସରପ୍ରାପ୍ତ ଅମଲାତନ୍ତ୍ରୀ ଓ.ପି. ଚୌଧରୀଙ୍କ ନାମ ଚର୍ଚ୍ଚାରେ ରହିଛି। କ୍ରିକେଟରରୁ ନେତ୍ରୀ ସାଜିବା ପରେ ମୋଦିଙ୍କ କ୍ୟାବିନେଟ୍‌ରେ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରୂପେ ସ୍ଥାନ ପାଇଥିବା ରେଣୁକା ସିଂ ମଧ୍ୟ ସିଏମ୍‌ ରେସ୍‌ରେ ଥିବା କୁହାଯାଉଛି।

 


ଭାରତ ବର୍ଷର ସର୍ବକନିଷ୍ଠ ରାଜ୍ୟ ତେଲଙ୍ଗାନା ୨୦୧୪ରେ ଅସ୍ତିତ୍ୱକୁ ଆସିବା ପରଠୁ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) କ୍ରମାଗତ ୨ଟି ନିର୍ବାଚନରେ ସଫଳତା ପାଇ ସରକାର ଗଢ଼ିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ପ୍ରଧାନମନ୍ତ୍ରୀ ମହତ୍ତ୍ୱାକାଂକ୍ଷା ବଢ଼ିବାରୁ ସେ ଜାତୀୟ ରାଜନୀତିରେ ଅଧିକ ମନୋନିବେଶ କରିବାରେ ଲାଗିଲେ। ଏହିକ୍ରମେ ସେ ଟିଆର୍‌ଏସ୍‌କୁ ବିଆର୍‌ଏସ୍‌ରେ ପରିଣତ କଲେ। କଂଗ୍ରେସର ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରି ଇଣ୍ଡିଆ ବ୍ଲକ୍‌ଠାରୁ ବି ଦୂରେଇ ରହିଲେ। ଏହି ଜାତୀୟ ସ୍ବପ୍ନ ସାଙ୍ଗକୁ ପାରିବାରିକ ରାଜନୀତିକୁ ପ୍ରଶ୍ରୟ ଦେବା, ଦୁର୍ନୀତି ପ୍ରତି ଆଖି ବୁଜିଦେବା, ବିକାଶ ନାମରେ କେବଳ ଯୋଜନା ଗଢ଼ିଚାଲିବା ଆଦି ପ୍ରସଙ୍ଗ କେସିଆର୍‌ଙ୍କ ସାମ୍ରାଜ୍ୟର ପତନର କାରଣ ହୋଇପାରେ ବୋଲି ରାଜନୈତିକ ପଣ୍ଡିତମାନେ କହୁଛନ୍ତି। ଗତମାସରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ଏହି ଏକମାତ୍ର ଦକ୍ଷିଣ ଭାରତୀୟ ରାଜ୍ୟରେ କଂଗ୍ରେସ ଆଶାତୀତ ସଫଳତା ପାଇଛି। ସର୍ବପୁରାତନ ଦଳ ୬୪ ଆସନ ଦଖଲ କରିପାରିଛି। ବିଆର୍‌ଏସ୍‌ ପୂର୍ବାପେକ୍ଷା ୪୯ ଆସନ ହରାଇ ୨ ନମ୍ବରକୁ ଖସିଛି। ଭାଜପା ୮ଟି ଆସନ ଦଖଲ କରିଥିବାବେଳେ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌ ୭ ସିଟ୍‌ ଜିତିପାରିଛି। କେସିଆର୍‌ ଗଜଓ୍ବେଲ ଆସନରେ ଜିତିଥିବାବେଳେ କାମାରେଡ୍ଡୀ ନିର୍ବାଚନମଣ୍ଡଳୀରେ ପରାଜିତ ହୋଇଛନ୍ତି। ତାଙ୍କ କ୍ୟାବିନେଟର ବହୁ ମନ୍ତ୍ରୀ ଶୋଚନୀୟ ପରାଜୟ ବରଣ କରିଛନ୍ତି। କାମାରେଡ୍ଡୀ ନିର୍ବାଚନମଣ୍ଡଳୀରେ ବିଆର୍‌ଏସ୍‌ ମୁଖ୍ୟ କେସିଆର୍‌ ଏବଂ ତେଲଙ୍ଗାନା ପିସିସି ସଭାପତି ଏ.ରେଭନ୍ଥ ରେଡ୍ଡୀଙ୍କୁ ଭାଜପା ପ୍ରାର୍ଥୀ ହରାଇଦେଇଛନ୍ତି। କେସିଆର୍‌ଙ୍କ ପୁଅ କେ.ଟି. ରାମାରାଓ (କେଟିଆର୍‌) ଏହାକୁ ସାମୟିକ ପରାଜୟ ଭାବେ ଅଭିହିତ କରିବା ସହ ବିଆର୍‌ଏସ୍‌ ନିଜ ଜାତୀୟ କାର୍ଯ୍ୟସୂଚୀକୁ ଆଗେଇ ନେବ ବୋଲି କହିଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସ ସରକାର ଗଢ଼ିବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଆସନ ପାଇଁ କାହା ମୁଣ୍ଡରେ ହାତୀ ସୁନାକଳସ ଢ଼ାଳୁଛି ତାହା ସୋମବାର ସ୍ପଷ୍ଟ ହୋଇଯିବ।


ଅନ୍ୟପକ୍ଷେ ନଭେମ୍ବର ୭ରେ ଅନୁଷ୍ଠିତ ମିଜୋରାମ ବିଧାନସଭା ନିର୍ବାଚନର ଭୋଟ ଗଣତି ମଧ୍ୟ ରବିବାର କରାଯିବା ପାଇଁ ସ୍ଥିର ହୋଇଥିଲା। ତେବେ ଖ୍ରୀଷ୍ଟିଆନ ବହୁଳ ଏହି ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ଭୋଟରଙ୍କ ଅନୁରୋଧ କ୍ରମେ ନିର୍ବାଚନ କମିଶନ ଗଣତିକୁ ଦିନେ ଅର୍ଥାତ୍‌ ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇଦେଇଛନ୍ତି। ଉପରୋକ୍ତ ୪ ରାଜ୍ୟ ପରେ ଏବେ ମିଜୋରାମ ଫଳାଫଳ ଉପରେ ନଜର।

ଦେଶବାସୀ ସୁଶାସନ ସହ ଅଛନ୍ତି: ମୋଦି

ଭାଜପା ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜୟୀ ହେବାକୁ ଯାଉଥିବାବେଳେ ଜନସାଧାରଣ ସୁଶାସନ ଓ ବିକାଶ ରାଜନୀତି ସହ ଦୃଢ଼ ଭାବେ ରହିଥିବା ଫଳାଫଳରୁ ସ୍ପଷ୍ଟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି। ଭାଜପା ସବୁବେଳେ ସୁଶାସନ ଓ ବିକାଶକୁ ଗୁରୁତ୍ୱ ଦେଇଆସିଛି। ନିର୍ବାଚନ ଫଳାଫଳ ପାଇଁ ‘ଆମେ ଜନତା ଜନାର୍ଦ୍ଦନଙ୍କ ନିକଟରେ ମୁଣ୍ଡ ନୁଆଉଛୁ ବୋଲି ମୋଦି ଏକ୍ସରେ ପୋଷ୍ଟ କରିଛନ୍ତି। ସେ ୩ ରାଜ୍ୟର ଜନସାଧାରଣଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ଉନ୍ନତି ଲାଗି ଅବିଶ୍ରାନ୍ତ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ସେମାନଙ୍କ କଠିନ ପରିଶ୍ରମ ଲାଗି ସ୍ବତନ୍ତ୍ର ଭାବେ ଧନ୍ୟବାଦ ଜଣାଇଛନ୍ତି। ତେଲଙ୍ଗାନାରେ କଂଗ୍ରେସ ବିଜୟୀ ହେବାକୁ ଯାଉଥିବାବେଳେ ଭାଜପାକୁ ସମର୍ଥନ ବଢ଼ିଥିବାରୁ ପ୍ରଧାନମନ୍ତ୍ରୀ ସେଠାର ଜନସାଧାରଣଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଜନାଦେଶକୁ ବିନମ୍ରତାର ସହ ଗ୍ରହଣ କରୁଛୁ: ରାହୁଲ

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଜନାଦେଶକୁ କଂଗ୍ରେସ ବିନମ୍ରତାର ସହ ଗ୍ରହଣ କରୁଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ତେବେ ନୀତି ଆଦର୍ଶର ଲଢ଼େଇ ଜାରି ରହିବ। ତେଲଙ୍ଗାନା ଜନସାଧାରଣ କଂଗ୍ରେସ ସପକ୍ଷରେ ଜନାଦେଶ ଦେଇ ଇତିହାସ ସୃଷ୍ଟି କରିଥିବାରୁ ସେମାନଙ୍କୁ ଧନ୍ୟବାଦ। ଏହା ସେହି ରାଜ୍ୟବାସୀ ଓ ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ ବିଜୟ। ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ପ୍ରାଥମିକତାର ସହ ପୂରଣର କରାଯିବ ବୋଲି ରାହୁଲ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri