୩ ମହଲା କୋଠାରୁ ଖସିପଡ଼ିଲେ ୪ ଶ୍ରମିକ

ଗୁଣପୁର,୨୨।୧୦(ପ୍ରଦୀପ କୁମାର ପାଢ଼ୀ ): ରାୟଗଡ଼ା ଜିଲା ଗୁଣପୁର ସହର ମରାଠୀଗୁଡା ଅଞ୍ଚଳରେ ନିର୍ମାଣାଧୀନ ଏକ ୩ ମହଲା କୋଠାରୁ ଖସିପଡି ୪ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୨ ଶ୍ରମିକ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ମୁତାବକ, କୋଠାରେ କାନଫୁଲ ଡମ୍ବ, କାନଫୁଲ ସାରଙ୍ଗ, ସାନିୟା ଭୂୟାଁ ଏବଂ କୁଣ୍ଡେଙ୍ଗି ଗୌରାଙ୍ଗ କାର୍ଯ୍ୟ କରୁଥିବା ବେଳେ ୩ ମହଲା କୋଠାରୁ ଖସି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଡମ୍ବ ଏବଂ ସାରଙ୍ଗ ଗୁରୁତର ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ କୁଣ୍ଡିଙ୍ଗି ଗୌରାଙ୍ଗ ଏବଂ ସାନିଆ ଭୂୟାଁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।