Categories: ଜାତୀୟ

୪ ବର୍ଷ ତଳର ପୁରୁଣା ନାଟକ, ଅଜିତ ପାଓ୍ବାର ଦେଇଥିଲେ ବଡ଼ ଝଟ୍‌କା, ଏବେ ପୁଣି ଆରମ୍ଭ…

ମୁମ୍ବାଇ,୨।୭ : ମହାରାଷ୍ଟ୍ରରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ ରବିବାର ଦଳର ନେତା ଅଜିତ ପାୱାର ତାଙ୍କ ବାସଭବନରେ ଏନସିପି ନେତାଙ୍କ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ବରିଷ୍ଠ ଏନସିପି ନେତା ଖଗନ ଭୁଜବଲ ଏବଂ ଦଳର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ମଧ୍ୟ ଯୋଗ ଦେଇଥିବାବେଳେ ରାଜ୍ୟ ଦଳର ସଭାପତି ଜୟନ୍ତ ପାଟିଲ ଯୋଗ ଦେଇନାହାଁନ୍ତି। ଏଥି ସହ ଏନସିପି ସଭାପତି ଶରଦ ପାୱାର ପୁଣେରେ ଥିଲେ। ସେ କହିଛନ୍ତି ସେ ଏହି ସଭା ବିଷୟରେ ଅବଗତ ନୁହଁନ୍ତି।

ଏହି ସାକ୍ଷାତ ପରେ ଅଜିତ ପାୱାର ସିଧାସଳଖ ରାଜ ଭବନରେ ପହଞ୍ଚିଥିଲେ। କୁହାଯାଉଛି ଅଜିତ ଏନଡିଏରେ ଯୋଗଦେବାକୁ ଯାଉଛନ୍ତି ଏବଂ ଏଥିପାଇଁ ସେ ଏନସିପି ବିଧାୟକଙ୍କ ଚିଠି ନେଇ ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଛନ୍ତି। ସୂଚନାନୁସାରେ, ଅଜିତଙ୍କୁ ରାଜ୍ୟର ଡେପୁଟି ସିଏମ କରାଯାଇପାରିବ। ଏହା ପ୍ରଥମ ଥର ନୁହେଁ ଅଜିତ ପାୱାର ଏନସିପି ମୁଖ୍ୟଙ୍କୁ ଚକିତ କରିଛନ୍ତି। ଚାରି ବର୍ଷ ପୂର୍ବେ ମହାରାଷ୍ଟ୍ରରେ ଏଭଳି ନାଟକ ଘଟିଥିଲା ଯେତେବେଳେ ଅଜିତ ପାୱାର ଭାଜପା ନେତା ଦେବେନ୍ଦ୍ର ଫଡନାଭିସଙ୍କ ସହ ମିଶି ରାତାରାତି ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

ମହାରାଷ୍ଟ୍ର ରାଜନୀତିରେ ସବୁଠାରୁ ବଡ ଆଶ୍ଚର୍ଯ୍ୟଜନକ ଘଟଣାରେ ତତ୍କାଳୀନ ରାଜ୍ୟପାଳ ଭାଗବତ ସିଂ କୋଶିଆରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ପାଠ କରାଇଥିଲେ। ଏହି ସରକାର ମାତ୍ର ତିନି ଦିନ ଧରି ଚାଲିଥିଲା, ଏହା ପରେ ଶିବସେନା, କଂଗ୍ରେସ ଏବଂ ଏନସିପି ଦ୍ୱାରା ଗଠିତ ମହାବିକାଶ ଆଘାଡି ମିଳିତ ମଞ୍ଚର ମୁଖ୍ୟମନ୍ତ୍ରୀ ଭାବରେ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିଥିଲେ।

 

Share