ମାତ୍ର ୨୫ ବର୍ଷରେ ସଂସଦ ଯିବେ ୪ ଏମ୍‌ପି, ନିର୍ବାଚନ ଜିତି କଲେ ରେକର୍ଡ

ନୂଆଦିଲ୍ଲୀ, ୫ା୬: ସରିଛି ୨୦୨୪ ଲୋକସଭା ନିର୍ବାଚନ। ପ୍ରକାଶ ପାଇଛି ଫଳାଫଳ । ହେଲେ ଏହି ନିର୍ବାଚନରେ ରେକର୍ଡ କରିଛନ୍ତି ୪ ଯୁବ ଏମ୍‌ପି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ରହିଛନ୍ତି। ସେମାନେ ହେଲେ ପୁଷ୍ପେନ୍ଦ୍ର ସରୋଜ, ପ୍ରିୟା ସରୋଜ, ସମ୍ଭାଭି ଚୌଧୁରୀ ଏବଂ ସଞ୍ଜନା ଜାଟୱ। ମାତ୍ର ୨୫ ବର୍ଷ ବୟସରେ ଏମାନେ ସଂସଦ ଯିବେ।
ପୁଷ୍ପେନ୍ଦ୍ର ସରୋଜ-
ସମାଜବାଦି ପାର୍ଟିରୁ ନିର୍ବାଚନ ଲଢ଼ିଥିବା ପୁଷ୍ପେନ୍ଦ୍ର କୌଶମ୍ଭି ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ସେ ଦୁଇଥରର ଭାଜପା ସାଂସଦ ବିନୋଦ ସୋନକାରଙ୍କୁ ୧.୩ ଲକ୍ଷ ଭୋଟ ବ୍ୟବଧଆନରେ ପରାସ୍ତ କରିଛନ୍ତି। ସେ ଲଣ୍ଡନର କୁଇନ୍‌ ମ୍ୟାରି ୟୁନିଭରସିଟି ଆକାଉଣ୍ଟିଂ ଏବଂ ମ୍ୟାନେଜମେଣ୍ଟ୍‌ରେ ଡିଗ୍ରୀ ହାସଲ କରିଛନ୍ତି।
ପ୍ରିୟା ସରୋଜ-
ସୁପ୍ରିମ୍‌ କୋର୍ଟରେ ଆଇନ୍‌ଜୀବୀ ଭାବେ କାର୍ଯ୍ୟ କରୁଥିବା ପ୍ରିୟା ସମାଜବାଦି ପାର୍ଟିରୁ ନିର୍ବାଚନ ଲଢ଼ିଥିଲେ। ସେ ମାଛ୍‌ଲିସହର ସିଟ୍‌ରୁ ୩୫,୮୫୦ ଲିଡ୍‌ରେ ଜିତିଛନ୍ତି। ସେ ପୂର୍ବତନ ଏମ୍‌ପି ତୁଫାନି ସରୋଜଙ୍କ ଝିଅ ବୋଲି ଜଣାପଡ଼ିଛି।
ସମ୍ଭାବି ଚୌଧୁରୀ-
ନୀତିଶ କୁମାର କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ଅଶୋକ ଚୌଧୁରୀଙ୍କ ଝିଅ ହେଉଛନ୍ତି ସମ୍ଭାବି ଚୌଧୁରୀ । କଂଗ୍ରେସ ପ୍ରାର୍ଥୀ ସନ୍ନି ହଜାରିଙ୍କୁ ସେ ପରାସ୍ତ କରି ସମସ୍ତିପୁର ଲୋକସଭା ଆସନ ହାତେଇଛନ୍ତି। ପ୍ରଚାର ସମୟରେ ନରେନ୍ଦ୍ର ମୋଦି ସମ୍ଭାବି ଏନ୍‌ଡିଏର ସବୁଠାରୁ ଯୁବ ଏମ୍‌ପି ପ୍ରାର୍ଥୀ ବୋଲି କହିଥିଲେ।

ସଞ୍ଜନା ଜାଟୱ-

ରାଜସ୍ଥାନର ଭରତପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଜିତିଥିବା ଜଣେ ଦଳିତ ମହିଳାଙ୍କୁ ନେଇ ଏବେ ଜୋର ଚର୍ଚ୍ଚା। ତାଙ୍କ ନାମ ସଞ୍ଜନା ଜାଟୱ। ୨୫ ବର୍ଷିୟା ଏହି ମହିଳା ରାଜସ୍ଥାନର ସବୁଠାରୁ କମ୍‌ ବୟସର ଏମ୍‌ପି ହୋଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ କମ୍‌ ବୟସର ୪ ଜଣ ନିର୍ବାଚିତ ଏମ୍‌ପିଙ୍କ ମଧ୍ୟରେ ସେ ରହିଛନ୍ତି। ସଞ୍ଜନା ଭରତପୁର ଲୋକସଭା ଆସନରୁ ୫୯ ବର୍ଷିୟ ଭାଜପା ପ୍ରାର୍ଥୀ ତଥା ପୂର୍ବତନ ଲୋକସଭା ଏମ୍‌ପି ରାମ ସ଼୍ବରୂପ କୋଲିଙ୍କୁ ୫୨ ହଜାର ଭୋଟରେ ପରାସ୍ତ କରିଛନ୍ତି।

ନିର୍ବାଚନ ଫଳାଫଳ ଆସିବା ପରେ ସଞ୍ଜନା ଏହାକୁ ଜନତାଙ୍କ ଜିତ୍‌ ବୋଲି କହିଛନ୍ତି। ଏଥିପାଇଁ ସେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଅଶୋକ ଗେହଲଟ୍‌ ଏବଂ ସଚିନ୍‌ ପାଇଲଟ୍‌ଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ, ଲୋକଙ୍କ ଆଶା ଅନୁସାରେ କାର୍ଯ୍ୟ କରିବା ସହିତ ସେ ଲୋକଙ୍କ ସମସ୍ୟା ଦୂର କରିବାକୁ ଯଥା ସମ୍ଭବ ଚେଷ୍ଟା କରିବେ।  ଏହି ଆସନରେ ଲଢ଼ିବାକୁ ସୁଯୋଗ ଦେଇଥିବାରୁ ସେ କଂଗ୍ରେସ ଏବଂ ଜିତାଇଥିବାରୁ ଭରତପୁରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।ଏହା ପୂର୍ବରୁ ବିଧାନସଭା ନିର୍ବାଚନରେ ପ୍ରତିଦ଼୍ବନ୍ଦିତା କରି ସେ ଭାଜପା ପ୍ରାର୍ଥୀଙ୍କ ଠାରୁ ୪୦୯ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ।

ତେବେ ବିଶେଷ କଥା ହେଉଛି କି ସଞ୍ଜନାଙ୍କ ସ଼୍ବାମୀ ଜଣେ ପୋଲିସ କନଷ୍ଟେବଳ । ସଞ୍ଜନାଙ୍କର ଦୁଇଟି ଛୋଟ ଛୋଟ ଶିଶୁ ମଧ୍ୟ ରହିଛନ୍ତି। ସେ ୨୦୧୯ରେ ମହାରାଜା ସୁରଜମଲ ବୃଜ ବିଶ଼୍ବ ବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।