ମିରଟ, ୪।୪: ୩୬ ବର୍ଷ ତଳର ମାଲିଆନା ସାମ୍ପ୍ରଦାୟିକ ଦଙ୍ଗା ମାମଲାର ୪୦ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ କୋର୍ଟ ଦୋଷମୁକ୍ତ କରିଦେଇଛନ୍ତି। ୧୯୮୭ ମେ’ ୨୩ରେ ଘଟିଥିବା ଏହି ଦଙ୍ଗାରେ ୭୨ ଜଣ ମୁସଲମାନ ନିହତ ହୋଇଥିଲେ। ବାବ୍ରୀ ମସ୍ଜିଦ-ରାମ ଜନ୍ମଭୂମି ବିବାଦରୁ ହାସିମପୁରା ସଂଘର୍ଷର ଦିନକ ପରେ ମାଲିଆନାରେ ଏହି ଦଙ୍ଗା ସୃଷ୍ଟି ହୋଇଥିଲା। ଏହି ଘଟଣାରେ ୯୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଅତିରିକ୍ତ ଜିଲା ଓ ଦୌରା ଜଜ୍ ଲଖଓ୍ବିନ୍ଦର ସୁଦ୍ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଶନିବାର ୪୦ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ମୁକ୍ତ କରିଦେଇଛନ୍ତି। ଦଙ୍ଗା ମୃତକଙ୍କ ପରିବାର ସଦସ୍ୟ ଉକ୍ତ ରାୟ ବିରୋଧରେ ହାଇକୋର୍ଟରେ ଅପିଲ୍ କରିବେ ବୋଲି କହିଛନ୍ତି।