ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ ରହୁନାହାନ୍ତି। ଥରେ ଦୁଇ ଥର ନୁହେଁ, ବହୁ ଥର ଏପରି ହେଉଛି। ଯଦ୍ୱାରା ମାମଲାର ଶୁଣାଣିରେ ଅଗ୍ରଗତି ହୋଇପାରୁନାହିଁ। ଏହାକୁ ନେଇ ହାଇକୋର୍ଟ ବହୁ ଭାବେ କ୍ଷୁବ୍ଧ ହୋଇଛନ୍ତି। ଏଥିସହ ଏ ବାବଦରେ ଗୁରୁତର ପଦକ୍ଷେପ ନେବାକୁ ହାଇକୋର୍ଟ ଚେତାବନୀ ଦେଇଛନ୍ତି। ସୂଚନା ଅନୁସାରେ, ଜ୍ୟୋତି ଶଙ୍କର ବଳିୟାରସିଂହ ବନାମ କେନ୍ଦ୍ର ସରକାର ଡବ୍ଲ୍ୟୁପିସି ନଂ ୨୬୦୦୪/୨୦୨୨ ମାମଲାର ପୂର୍ବ ଶୁଣାଣି ଗତ ୨୫ ତାରିଖରେ ହୋଇଥିଲା। ପ୍ରଥମ ପକ୍ଷ ଜ୍ୟୋତି ଶଙ୍କର ବଳିୟାରସିଂହଙ୍କ ପକ୍ଷରୁ ଆଇନଜୀବୀ ନିର୍ମଳ ରଞ୍ଜନ ରାଉତରାୟ ଅଦାଲତରେ ଉପସ୍ଥିତ ଥିଲେ। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଆଇନଜୀବୀ ଅଦାଲତରେ ଉପସ୍ଥିତ ନଥିଲେ। ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଆଇନଜୀବୀ ଉପସ୍ଥିତ ନଥିବା ଦେଖି କ୍ଷୁବ୍ଧ ହୋଇଥିଲେ। ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ମାମଲାର ଜେରା ସରିଥିବା ବେଳେ ଅଦାଲତକୁ ସହାୟତା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ ନାହାନ୍ତି। ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ମାମଲା ପରିଚାଳନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୦ ସରକାରୀ ଓକିଲ ଅଛନ୍ତି। ତଥାପି ମାମଲା ଶୁଣାଣି ବେଳେ କେହି ଉପସ୍ଥିତ ରହୁନାହାନ୍ତି। ସେଥିପାଇଁ ହାଇକୋର୍ଟ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରିଛନ୍ତି। ଏପରିକି ଏହି ଘଟଣା ସଂକ୍ରାନ୍ତରେ କେନ୍ଦ୍ର ଆଇନ୍‌ ଓ ନ୍ୟାୟ ସଚିବଙ୍କୁ ଆଇନ ଅନୁଯାୟୀ ଅବଗତ କରାଯାଇପାରେ ବୋଲି ଖଣ୍ଡପୀଠ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି। ଏଥିସହ ମାମଲାର ପରବର୍ତ୍ତି ଶୁଣାଣି ଆଗାମୀ ୨ ସପ୍ତାହ ପରେ କରାଯିବାକୁ ଖଣ୍ଡପୀଠ ଆଦେଶ ଦେଇଛନ୍ତି।

Share