କେନ୍ଦୁଝର,୮ା୫(ସ୍ବ.ପ୍ର.): ପ୍ରଥମେ କଂସା ଓ ଆଲୁମିନିୟମରେ ନିର୍ମିତ ବାସନର ଚାହିଦା ବହୁଳ ମାତ୍ରାରେ ଥିଲା। ଏବେ ପ୍ଲାଷ୍ଟିକ୍ ଓ ଷ୍ଟିଲ୍ ନିର୍ମିତ ସାମଗ୍ରୀ ପ୍ରତି ଲୋକେ ଆକୃଷ୍ଟ ହେଉଛନ୍ତି। ମାତ୍ର ଆଲୁମିନିୟମ, କଂସା ଓ ପିତ୍ତଳର ବ୍ୟବହାର ଆଗ ଭଳି ହେଉ ନ ଥିଲେ ବି ବନ୍ଦ ହୋଇନାହିଁ। ଲୋକେ ଆଲୁମିନିୟମ ଓ କଂସାରେ ତିଆରି ଘରକରଣା ସାମଗ୍ରୀ ଓ ବାସନ ବ୍ୟବହାର କରୁଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଏସବୁର ଚାହିଦା ରହିଛି। ଏବେ ଆଲୁମିନିୟମ ଓ କଂସା କାରିଗରି ସଂକଟ ଦେଇ ଗତି କରୁଥିବା ବେଳେ କେନ୍ଦୁଝର ଜିଲା ହରିଚନ୍ଦନପୁର, ଘଟଗାଁ ଓ ପାଟଣା ବ୍ଲକ୍ର ୪୦ ପରିବାର ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। ମାତ୍ର ଆଗଭଳି ଉକ୍ତ ବ୍ୟବସାୟରେ ଲାଭ ହେଉ ନ ଥିବାରୁ କାରିଗର ପରିବାର ଆର୍ଥିକ ଅନଟନରେ ଦିନ କାଟୁଥିବା ହରିଚନ୍ଦନପୁର ବ୍ଲକ୍ର କଂସାବାସନ କାରିଗର ମାଗୁଣି ମହାରଣା କହିଛନ୍ତି।
ହରିଚନ୍ଦନପୁର ବ୍ଲକ୍ର ଠାକୁରପଡ଼ା, ପିଟା ଟାଙ୍ଗର, ଶଙ୍କରପୁର, ଘଟଗାଁ ବ୍ଲକ୍ର ମସିଣାବିଲା, ପାଟଣା ବ୍ଲକ୍ର ଧନୁର୍ଜ୍ୟୟପୁର ଆଦି ଗ୍ରାମରେ ଉକ୍ତ କାରିଗର ବସବାସ କରୁଛନ୍ତି। ଆଲୁମିନିୟମ ଓ କଂସାକୁ ତରଳାଇ ସେଥିରୁ ବିଭିନ୍ନ ପ୍ରକାର ଘର ଉପକରଣ, ମାଣ, ଚଲା, ଘୋଡ଼ଣି ଆଦି ପ୍ରସ୍ତୁତ କରିଥାନ୍ତି। ସାମଗ୍ରୀକୁ ହାଟ ବଜାର, ଗାଁ ଗଣ୍ଡା ଏବଂ ଯାନିଯାତ୍ରାରେ ବିକ୍ରି କରି ଚଳୁଥିଲେ। ଏବେ ପିତ୍ତଳ କିଲୋ ପାଖାପାଖି ୨୮୦ ଟଙ୍କାରେ କିଣି ସେଥିରୁ ସାମଗ୍ରୀ ପ୍ରସ୍ତୁତ କରି ବିକିଲେ କିଲୋ ପିଛା ୪୦୦ ଟଙ୍କା ମିଳୁଛି। ଆଲୁମିନିୟମ କିଲୋ ୨୫୦ ଟଙ୍କାରେ କିଣି ୩୦୦ରୁ ୩୫୦ରେ ସାମଗ୍ରୀ ବିକ୍ରି କରିଥାଉ। ଏଥିରେ ପରିଶ୍ରମ ସାଙ୍ଗକୁ ପ୍ରସ୍ତୁତ ପାଇଁ ଦରକାର ସାମଗ୍ରୀ କୋଇଲା ଆଦି ବାବଦକୁ ଖର୍ଚ୍ଚ ଅଧିକା ହୋଇଥାଏ। ବହୁ କଷ୍ଟରେ ମାସକୁ ୨/୩ ହଜାର ଟଙ୍କା ରୋଜଗାର କରିପାରୁଛୁ। ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳୁନାହିଁ। ଏଣୁ ଧୀରେ ଧୀରେ ଆଗ୍ରହ କମୁଛି। ଫଳରେ ଆଗାମୀ ପିଢ଼ି କୌଳିକ ବୃତ୍ତିକୁ ଆପଣାଇବାକୁ ଅମଙ୍ଗ ହେଉଛନ୍ତି। ସରକାରଙ୍କ ପକ୍ଷରୁ ଲୋନ ଓ ଅନ୍ୟାନ୍ୟ ସୁବିଧା ମିଳିଲେ କୌଳିକ ବୃତ୍ତି ବଞ୍ଚତ୍ ରୁହନ୍ତା ବୋଲି ମସିଣାବିଲା ଗ୍ରାମର କାରିଗର ସନ୍ତୋଷ ମହାରଣା କହିଛନ୍ତି। ବ୍ୟକ୍ତିଗତ ଋଣ ମିଳୁ ନାହିଁ। ଗୋଷ୍ଠୀ ଜରିଆରେ ଋଣ ବ୍ୟବସ୍ଥା କରାଯାଉଛି। ଫଳରେ ଏଭଳି କାମରେ ଗୋଷ୍ଠୀ ଗଠନ କରି ଋଣ କରିବା ସୁବିଧା ହେବନାହିଁ। ବରଂ ସମବାୟ ସମିତି ଗଠନ କରି ତା ମାଧ୍ୟମରେ ସରକାର ଅର୍ଥ, କଞ୍ଚାମାଲ ଆଦି ଯୋଗାଇଦେଲେ, ବିକ୍ରି ବ୍ୟବସ୍ଥା କରାଇଲେ ସମସ୍ତେ ଲାଭବାନ ହେବେ ବୋଲି ଅନେକେ ମତବ୍ୟକ୍ତ କରୁଛନ୍ତି। ଅଧିକ ଋଣ ସୁବିଧା ମିଳିଲେ ଏବଂ ବିକ୍ରିବଟା ବ୍ୟବସ୍ଥା କରାଗଲେ ସେମାନଙ୍କ ଅବସ୍ଥା ସୁଧୁରିଯିବ ବୋଲି ପୁରୁଖା କାରିଗର ନୀଳକଣ୍ଠ ମହାରଣା, ଧୂଳିଆ ମହାରଣା ପ୍ରମୁଖ ମତବ୍ୟକ୍ତ କରିଛନ୍ତି ା