୪୦ ଲକ୍ଷ ଟଙ୍କାର ମୁଣ୍ଡଜାମିନ, ଅଭିଯୁକ୍ତ ଗିରଫ

ବାଲେଶ୍ୱର ଅଫିସ,୬ା୪: ଝାରସୁଗୁଡ଼ାରେ ନାବାଳକ ଅପହରଣ ଓ ଟଙ୍କା ପାଇଁ ନାବାଳକ ହତ୍ୟା ଘଟଣା ମନରୁ ନ ଲିଭିବା ପୂର୍ବରୁ ଏବେ ବାଲେଶ୍ୱର ଜିଲା ଚନ୍ଦନେଶ୍ୱର ନିକଟରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ୪୦ଲକ୍ଷ ଟଙ୍କା ମାଗିବା ଘଟଣା ବେଶ୍‌ ଆଲୋଡନ ସୃଷ୍ଟି କରିଛି। ଏସ୍‌ପିଙ୍କ ନିର୍ଦ୍ଦେଶରେ ଅପହରଣ ଅଭିଯୋଗର ଦିନକ ମଧ୍ୟରେ ତାଳସାରି ସାମୁଦ୍ରିକ ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ବାଲେଶ୍ୱରର ଏକ ହୋଟେଲ ନିକଟରୁ କାବୁ କରିଛନ୍ତି।

ମିଳିଥିବା ସୂଚନାନୁସାରେ, ଶିବାନନ୍ଦ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଏକ କାର୍‌ରେ ଅପହରଣ କରି ୪୦ଲକ୍ଷ ଟଙ୍କା ତାଙ୍କ ସ୍ତ୍ରୀଙ୍କୁ ଦେବା ପାଇଁ କୁହାଯାଇଥିଲା। ଶିବାନନ୍ଦଙ୍କ ସ୍ତ୍ରୀ ଖବର ପାଇ ତାଳସାରି ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ଏସ୍‌ପି ସାଗରିକା ନାଥ ତୁରନ୍ତ ଅପହରଣକାରୀଙ୍କୁ ଗିରଫ ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ତାଳସାରି ଥାନା ଅଧିକାରୀ ଚମ୍ପାବତୀ ସୋରେନ ଅଭିଯୁକ୍ତଙ୍କ ମୋବାଇଲ ନମ୍ବର ଟ୍ରାକ୍‌ କରି ସହଦେବ ଖୁଣ୍ଟା ଥାନା ଅଧିକାରୀଙ୍କ ସହଯୋଗରେ ବାଲେଶ୍ୱର ଷ୍ଟେଶନ ଛକ ନିକଟସ୍ଥ ଏକ ହୋଟେଲରୁ ଅଭିଯୁକ୍ତଙ୍କୁ ଗିରଫ କରିଛି ଓ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି। ବୁଧବାର ବିଳମ୍ବିତ ରାତିରେ ତାଳସାରି ଥାନାରେ ଅଭିଯୁକ୍ତକୁ ପଚରାଉଚରା କରାଯାଇ ତଦନ୍ତ ଚାଲୁ ରହିଛି। ଏହି ଘଟଣାରେ ପୋଲିସ କେସ୍‌ ନଂ ୩୨/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ନିମନ୍ତେ ପ୍ରସ୍ତୁତି ଚଳାଇ ଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ବାଲେଶ୍ୱର ଅଞ୍ଚଳର ଯୁବକ ବସ୍ତା ଅଞ୍ଚଳର ଶିବାନନ୍ଦ ପାତ୍ରକୁ ଅପହରଣ କଲେ ତାହା ସ୍ପଷ୍ଟ ଜଣାପଡ଼ିନାହିଁ।

 

 

Share