Categories: ଖେଳ

ଭାଲେନ୍ସିଆକୁ ୪୦ ଲକ୍ଷ ଜରିମାନା

ମାଡ୍ରିଡ୍‌,୨୫ା୫(ପି.ଟି.): ସ୍ପାନିସ୍‌ ଲିଗ୍‌ ଫୁଟବଲରେ ବ୍ରାଜିଲର ଫରଓ୍ବାର୍ଡ ଖେଳାଳି ଭିନିସିୟସ୍‌ ଜୁନିୟରଙ୍କ ପ୍ରତି ଜାତିଆଣ ଆକ୍ଷେପ ମାମଲାରେ ପୋଲିସ ଆଉ ୩ ଜଣଙ୍କୁ ଗିରଫ କରିଛି। ଏହା ସହିତ ଫୁଟବଲ୍‌ କ୍ଲବ ଭାଲେନ୍ସିଆ ଉପରେ ୪୫ ହଜାର ୟୁରୋ ବା ଭାରତୀୟ ମୁଦ୍ରାରେ ୪୦ ଲକ୍ଷ ୧୬ ହଜାର ୩୫୮ ଟଙ୍କାର ଜରିମାନା ଲାଗୁ କରାଯାଇଛି। ସ୍ପାନିଶ୍‌ ସକ୍କର ଅଫିସିଆଲ୍‌ଙ୍କ ପକ୍ଷରୁ ଏହି ଫାଇନ୍‌ ଲାଗୁ କରାଯାଇଛି। ଏହାକୁ ମିଶାଇ ସମୁଦାୟ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଏହା ପୂର୍ବରୁ ଜାନୁୟାରୀ ମାସରେ ଭିନିସିୟସଙ୍କ ଏଫିଗି(କଣ୍ଢେଇ ଆକୃତିର ପ୍ରତିମୂର୍ତ୍ତି)କୁ ଫାଶୀ ଦେଇଥିବା ଘଟଣାରେ ମଙ୍ଗଳବାର ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା। ରବିବାର ମ୍ୟାଚ୍‌ ଘଟଣାରେ ପୋଲିସ୍‌ ଭିଡିଓ ଫୁଟେଜ୍‌ ତର୍ଜମା କରିବା ପରେ ୩ ଜଣଙ୍କୁ ଗିରଫ କରିଛି। ଭାଲେନ୍ସିଆ ବିପକ୍ଷରେ ରିୟଲ ମାଡ୍ରିଡ୍‌ର ୧-୦ ପରାଜୟରେ ମଷ୍ଟାଲ୍ଲା ଷ୍ଟାଡିୟମରେ ଜାତିଆଣ ଆକ୍ଷେପ ହେବାପରେ ଇନ୍‌ଷ୍ଟାଗ୍ରାମ ଓ ଟୁଇଟରରେ ସେ ଏହାକୁ ନେଇ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ। ୪ ବର୍ଷ ମଧ୍ୟରେ ୯ ଥର ତାଙ୍କୁ ଏମିତି ଜାତିଆଣ ଆକ୍ଷେପର ଶିକାର ହେବାକୁ ପଡିଥିବା ନେଇ ସେ କହିଥିଲେ। ଭିନିସିୟସ ଏ ସମ୍ପର୍କରେ ପୋଷ୍ଟ କରିବା ପରେ ତାଙ୍କୁ ସମଗ୍ର ବିଶ୍ୱରୁ ସମର୍ଥନ ମିଳିବା ପରେ ସ୍ପାନିଶ ସକ୍କର ଲିଗ୍‌ ପକ୍ଷରୁ ଆକ୍ସନ ନିଆଯାଉଛି। ଭାଲେନ୍ସିଆ ଦଳକୁ ୪୫ ହଜାର ୟୁରୋ ଫାଇନ୍‌ ସହିତ ମଷ୍ଟାଲ୍ଲା ଷ୍ଟାଡିୟମର ଉକ୍ତ ଦର୍ଶକ ଷ୍ଟାଣ୍ଡକୁ ସାମୟିକ ଭାବରେ ବନ୍ଦ କରି ଦିଆଯାଇଛି। ଉକ୍ତ ଷ୍ଟାଣ୍ଡରେ ଭାଲେନ୍ସିଆର ହାର୍ଡକୋର ସମର୍ଥକଙ୍କ ଉପସ୍ଥିତି ଅଧିକ ରହିଥାଏ। ଉଲ୍ଲେଖଯୋଗ୍ୟ ଯେ, ୫ ବର୍ଷ ହେଲାଣି ସ୍ପାନିଶ ଲିଗ୍‌ ଖେଳୁଥିବା ବ୍ରାଜିଲ ଫରଓ୍ବାର୍ଡଙ୍କୁ ସବୁବେଳେ ଜାତିଆଣ ଆକ୍ଷେପର ଶିକାର ହେବାକୁ ପଡିଥାଏ। ତେବେ ଚଳିତ ବର୍ଷ ସେ ନିଜ ଗୋଲକୁ ଡ୍ୟାନ୍ସ କରି ସେଲିବ୍ରେଟ୍‌ କରୁଥିବାରୁ ଏଭଳି ଆକ୍ଷେପ ବଢିବାରେ ଲାଗିଛି। ଉକ୍ତ ମ୍ୟାଚରେ ମଝି ଆଙ୍ଗୁଳି ଦେଖାଇବାକୁ ନେଇ ଭିନିସିୟସଙ୍କୁ ରେଡ୍‌କାର୍ଡ ମିଳିଥିବା ବେଳେ ଏହାକୁ ସେ ସମାଲୋଚନା କରିଛନ୍ତି।

Share