Categories: ଜାତୀୟ

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶାର ୪୦ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୩।୮(କୁଲଦୀପ ସିଂ): ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ସ୍କୁଲର ୪୦ ଜଣ ଛାତ୍ରୀଛାତ୍ର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ମଙ୍ଗଳବାର ସକାଳେ ଛାତ୍ରୀଛାତ୍ରମାନେ ରାଷ୍ଟ୍ରପତି ଭବନ ଯାଇଥିଲେ। ମୟୂରଭଞ୍ଜର ୨ଜଣ ଛାତ୍ରୀଛାତ୍ର ରାଷ୍ଟ୍ରପତିଙ୍କୁ ୩ଟି ଉପହାର ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଛାତ୍ରୀଛାତ୍ରଙ୍କ ସହିତ ସେମାନଙ୍କ ପାଠପଢ଼ା ସମ୍ପର୍କରେ ଆଲୋଚନା କରିବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଆଶୀର୍ବାଦ କାମନା କରିଥିଲେ। ବଲାଙ୍ଗୀର ଜିଲାରୁ ୧୭ଜଣ ଛାତ୍ରୀଛାତ୍ର ରହିଥିବାବେଳେ ଅନ୍ୟମାନେ ରାୟଗଡ଼ା, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଏବଂ ଯାଜପୁର ଜିଲାର ଥିଲେ।
ସୂଚନାଯୋଗ୍ୟ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆଦିବାସୀ ଛାତ୍ରୀଛାତ୍ରଙ୍କ ପାଇଁ ଜାତୀୟ ଶିକ୍ଷା ସମାଜ (ଏନ୍‌ଇଏସ୍‌ଟିଏସ)ପକ୍ଷରୁ ଆୟୋଜିତ ଶିକ୍ଷା ଭ୍ରମଣ କାର୍ଯ୍ୟକ୍ରମର ଏହା ହେଉଛି ଏକ ଅଂଶବିଶେଷ। ଏଥିରେ ୬ ରାଜ୍ୟର ୫ଶହ ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ଓଡ଼ିଶା, ରାଜସ୍ଥାନ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ପିଲାମାନେ ଆମ୍ବେଡ୍‌କର ଇଣ୍ଟରନ୍ୟାଶନାଲ ସେଣ୍ଟରରେ ଆୟୋଜିତ ସମ୍ମିଳନୀରେ ସାମିଲ ହୋଇଥିଲେ। ଶିକ୍ଷା, କ୍ୟାରିୟର ଓ ସ୍କଲାରଶିପ୍‌ ସ୍କିମ୍‌ ସମ୍ପର୍କିତ ବିଷୟଗୁଡିକ ଉପରେ ଭାବର ଆଦାନ ପ୍ରଦାନ ଏବଂ ଅଭିଜ୍ଞତା ଶେୟାର କରିବା ପାଇଁ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ମଞ୍ଚ ଯୋଗାଇଦେବା ଏହାର ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share