‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମରେ ୪୦ ଛାତ୍ରୀଛାତ୍ର ଗଲେ ସିଙ୍ଗାପୁର

ଭୁବନେଶ୍ୱର,୨୬।୮(ଅସମାପିକା ସାହୁ)- ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରୀଛାତ୍ରଙ୍କ ଭିତରୁ ୪୦ଜଣଙ୍କୁ ବଛାଯାଇ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର ପଠାଯାଇଛି। ଚୟନ ହୋଇଥିବା ଏହି ଛାତ୍ରୀଛାତ୍ରମାନେ ଶନିବାର ସିଙ୍ଗାପୁରରେ ପହଞ୍ଚତ୍ଛନ୍ତି। ଏହି ଛାତ୍ରୀଛାତ୍ରମାନେ ଭୁବନେଶ୍ୱର-ସିଙ୍ଗାପୁର ସିଧାସଳଖ ବିମାନ ଯୋଗେ ଶନିବାର ସକାଳୁ ଯାତ୍ରା କରିଥିଲେ। ପ୍ରଥମଥର ପାଇଁ ବିମାନରେ ବସି ବିଦେଶ ଯାଉଥିବାରୁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଅଧୀନରେ ଅନ୍ତର୍ଜାତୀୟ ମାନର ତାଲିମ ପାଇଁ ଏଭଳି ସୁଯୋଗ ମିଳୁଥିବାରୁ ସେମାନେ ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ସିଙ୍ଗାପୁର ଯାଇଥିବା ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହି ଅନୁଭୂତି ସେମାନଙ୍କ ଶିକ୍ଷା ଓ ତାଲିମକୁ ଏକ ନୂଆ ଦିଗ ଦେବ ଏବଂ ସେମାନଙ୍କ ମନରେ ନୂଆ ସାହସ ଆଣିଦେବ ବୋଲି କହିଛନ୍ତି।

Share