
ସରଣ୍ଡା,୨୬।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଳକ ବାବେବିରା ହାଇସ୍କୁଲ ଗତ ୨ ଶିକ୍ଷାବର୍ଷ ହେଲା ବନ୍ଦ ହୋଇ ରହିଛି। ଏଠାକାର ୪ ଜଣ ଶିକ୍ଷକ ଓ ଜଣେ ପିଅନ ଅନ୍ୟତ୍ର କାମ କରୁଛନ୍ତି। କେବଳ ନାମକୁ ମାତ୍ର ହାଇସ୍କୁଲ ଅଛି। ପୁରୁଣା ପିଲାଙ୍କ ଟିସି କିମ୍ବା ଦରମା ବିଲ କରିବାକୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏହି ସ୍କୁଲକୁ ଆସି ଅଫିସ ଖୋଲି ଚାଲି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସ୍କୁଲରେ ଶିକ୍ଷାଦାନ ବନ୍ଦ ଥିବାରୁ ଅଧିକାଂଶ ପିଲା ଆଉ ହାଇସ୍କୁଲକୁ ଯାଉ ନାହାନ୍ତି। ଦୂରଦୂରାନ୍ତ ହାଇସ୍କୁଲ ଯିବା ଅମଙ୍ଗ ହେବାରୁ ଦିନକୁ ଦିନ ଡ୍ରପ୍ଆଉଟ୍ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଡ୍ରପ୍ଆଉଟ୍ ପିଲାଙ୍କୁ ସ୍କୁଲ ଆଣିବା ପାଇଁ ସରକାର ବହୁ ଯୋଜନା କରୁଥିବା ବେଳେ ଏଠାରେ କିନ୍ତୁ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସ୍କୁଲ କୋଠା ଅଛି, ଶିକ୍ଷକ ଅଛନ୍ତି, ଗ୍ରାମରେ ଛାତ୍ର ଅଛନ୍ତି, ହେଲେ ଶିକ୍ଷା ବିଭାଗର ଅବହେଳା ଯୋଗୁ ଏହି ସ୍କୁଲରେ ତାଲା ଝୁଲୁଛି।
ତେବେ ହାଇସ୍କୁଲକୁ ପୂର୍ବବତ କାର୍ଯ୍ୟକ୍ଷମ କରିବା ସହିତ ଛାତ୍ରୀଛାତ୍ରଙ୍କ ନାମଲେଖା ଆରମ୍ଭ କରିବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି। ଏହି ଦାବି ନେଇ ଗ୍ରାମବାସୀ ଗତ ୧୭ ତାରିଖ ଜିଲା ଶିକ୍ଷାଧିକାରୀଙ୍କ ପାଖକୁ ଯାଇଥିଲେ । ନୂତନ ଛାତ୍ରୀଛାତ୍ରଙ୍କ ନାମ ଲେଖିବାକୁ ଅମଙ୍ଗ ଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ଅପସାରିତ କରି ସହକାରୀ ଶିକ୍ଷକ ଅମୃତ ବାରିକଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ୱ ଦେବା ପାଇଁ ସେମାନେ ଦାବି କରିଥିଲେ। କିନ୍ତୁ ଶିକ୍ଷା ବିଭାଗ ପକ୍ଷରୁ କେଣସି ପଦକ୍ଷେପ ନିଆ ନ ଯିବାରୁ ବୁଧବାର ଅପରାହ୍ନରେ ବାବେବିରା ଗ୍ରାମରେ ମିଟିଂ କରି ହାଇସ୍କୁଲ ଅଫିସ ଗୃହରେ ଗ୍ରାମବାସୀ ତାଲା ମାରିଥିଲେ। ଗୁରୁବାର ଆନ୍ଦୋଳନ ତୀବ୍ର କରିବା ପାଇଁ ଗ୍ରାମବାସୀ ସଜବାଜ ହେଉଛନ୍ତି। ତେବେ ଏ ନେଇ ଉକ୍ତ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବାରମ୍ବାର ଫୋନ କରିବା ସତ୍ତ୍ବେ ସେ ଫୋନ ଉଠାଇ ନ ଥିଲେ। କିଛି ସମୟ ପରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପୁଅ କହି ଜଣେ ଫୋନ ଉଠାଇ ଥିଲେ ଏବଂ ଏତେ ରାତିରେ ଫୋନ କରିବା ପାଇଁ ତୁମେ କିଏ ବୋଲି କହି ଓଲଟା ଧମକ ଦେଇଥିବା ଜଣାପଡ଼ିଛି।