୫ ମହାନଗର ପାଇଁ ଆସିବ ୪୦୦ ଇ-ବସ୍‌

ଭୁବନେଶ୍ୱର,୪।୭ (ଅନିଲ ଦାସ)ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବା ଯୋଜନାରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପାଇଁ ୪୦୦ ଇ-ବସ୍‌ ଅଣାଯିବ। ଭୁବନେଶ୍ୱର, କଟକ ଓ ରାଉରକେଲା ସହର ପାଇଁ ୧୦୦ ଲେଖାଏ ଏବଂ ସମ୍ବଲପୁର ଓ ବ୍ରହ୍ମପୁର ସହର ପାଇଁ ୫୦ଟି ଇ-ବସ୍‌ ଯୋଗାଇ ଦିଆଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ ଗତ ୬ ବର୍ଷ ମଧ୍ୟରେ କ୍ରୁଟ୍‌ ମୋ ବସ୍‌ ସେବା ଯୋଗାଇବାରେ ଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛି। ଚଳାଚଳ କରୁଥିବା ସମୁଦାୟ ବସ୍‌ ମଧ୍ୟରୁ ୬୩ଟି ଇ-ବସ୍‌ ଚାଲୁଛି।
ମନ୍ତ୍ରୀ ବୁଧବାର ପୂର୍ବାହ୍ନରେ ମାଷ୍ଟରକ୍ୟାଣ୍ଟିନରୁ ମୋ ବସ୍‌ରେ ଯାତ୍ରା କରି ଗାଡ଼କଣ ଡିପୋରେ ପହଞ୍ଚିଥିଲେ। ସେଠାରେ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ତାଙ୍କୁ ସ୍ବାଗତ କରିଥିଲେ। ଗାଡ଼କଣ ଇ-ବସ୍‌ ଡିପୋ ପରିଦର୍ଶନ କରି ବିଭିନ୍ନ ସ୍ଥିତି ବିଷୟରେ ପଚାରି ବୁଝିବା ସହିତ କ୍ରୁଟ୍‌ ପରିଚାଳନା ଟିମ୍‌ ସହିତ ଏକ ସମୀକ୍ଷା ବୈଠକ କରିଥିଲେ। ବସ୍‌ ଚଳାଚଳ ସମ୍ପର୍କିତ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅଧିକ ଯାତ୍ରୀ ଯାଉଥିବା ରୁଟ୍‌ଗୁଡ଼ିକରେ ବସ୍‌ ସଂଖ୍ୟା ବଢ଼ାଇବା ନେଇ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପରିବେଶ ସୁରକ୍ଷା ପାଇଁ ଅଧିକରୁ ଅଧିକ ଇ-ବସ୍‌ ଚଳାଚଳ କରିବା ଉପରେ ସରକାର ବିଚାର କରୁଛନ୍ତି।
ମୋ ବସ୍‌ରେ ଯାତ୍ରା ସମୟରେ ସାଧାରଣ ଯାତ୍ରୀଙ୍କ ଭଳି ମନ୍ତ୍ରୀ ଟିକେଟ୍‌ କାଟିଥିଲେ। ବସ୍‌ରେ ଥିବା ଯାତ୍ରୀଙ୍କଠାରୁ ମୋ ବସ୍‌ ବିଷୟରେ ପଚାରି ବୁଝିଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ମୋ ବସ୍‌ ସେବା ନାଗରିକଙ୍କୁ ସୁବିଧାଜନକ, ସ୍ଥାୟୀ ଓ ନିରାପଦ ଯାତାୟାତ ବିକଳ୍ପ ଯୋଗାଉଛି। ବସ୍‌ରେ ନିୟମିତ ଯାତ୍ରୀମାନଙ୍କ ସହିତ ବିସ୍ତୃତ ଆଲୋଚନା ହେବ। ନାଗରିକଙ୍କ ଆବଶ୍ୟକତାକୁ ଆଧାର କରି ବସ୍‌ ସଂଖ୍ୟା ବୃଦ୍ଧି କରାଯିବ। ଆମେ ବିଭିନ୍ନ ସମୟରେ ପରିସ୍ଥିତିକୁ ଅନୁଧ୍ୟାନ କରୁଛୁ। ଆବଶ୍ୟକ ସ୍ଥଳେ ଅଧିକ ବସ୍‌ ସେବା ଯୋଗାଇ ଦିଆଯିବ। ମୋ ବସ୍‌ ନଁା ବଦଳାଇବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କୁ ବସ୍‌ ସେବା ଯୋଗାଇ ଦେବା ସରକାରଙ୍କ ପ୍ରାଥମିକତା। ନାଁରୁ କିଛି ମିଳିବ ନାହିଁ। ତେବେ ମୋ ବସ୍‌ କହିଲେ ନିଜ ଭିତରେ ଅହଂ ଭାବନା ସୃଷ୍ଟି କରିଥାଏ। ଏହାକୁ ପରବର୍ତ୍ତୀ ସମୟରେ ଆମ ବସ୍‌ ନାମରେ ନାମିତ କରାଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି। ୨୦୧୮ରେ ବିଜେଡି ସରକାର ଅମଳରେ ମୋ ବସ୍‌ ସେବା ଆରମ୍ଭ କରାଯାଇଥିଲା। କଟକ, ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ଭଳି ପ୍ରମୁଖ ୬ ସହରର ୯୫ ରୁଟ୍‌ରେ ମୋ ବସ୍‌ ଚଳାଚଳ କରୁଛି। ଦୈନିକ ୨.୫ ଲକ୍ଷ ଯାତ୍ରୀ ଏହା ଉପରେ ନିର୍ଭର କରୁଛନ୍ତି।