ୟୁକ୍ରେନ୍‌ କ୍ଷେପଣାସ୍ତ୍ର ମାଡ଼ରେ ୪୦୦ ରୁଷୀୟ ସୈନ୍ୟ ନିହତ

ମସ୍କୋ,୩ା୧:ୟୁକ୍ରେନ୍‌ର କ୍ଷେପଣାସ୍ତ୍ର ମାଡ଼ରେ ରୁଷିଆର ପାଖାପାଖି ୪୦୦ ସୈନ୍ୟ ନିହତ ହୋଇଥିବା ସୋମବାର କିଭ୍‌ ଦାବି କରିଛି। ପୂର୍ବ ୟୁକ୍ରେନ୍‌ରେ ଥିବା ରୁଷୀୟ ସୈନ୍ୟଙ୍କ କ୍ୟାମ୍ପ ଉପରେ କିଭ୍‌ ସୈନ୍ୟ ଆମେରିକା ଯୋଗାଇଥିବା କ୍ଷେପଣାସ୍ତ୍ରକୁ ମାଡ଼ କରିଥିଲେ। କ୍ରେମ୍‌ଲିନ୍‌ ବିରୋଧରେ ଏହା ୟୁକ୍ରେନ୍‌ର ଗୋଟିଏ ଦିନରେ ସବୁଠୁ ଘାତକ ଆକ୍ରମଣ। ସୈନ୍ୟ ମୃତ୍ୟୁକୁ ନେଇ ରୁଷିଆରେ ଉତ୍ତେଜନା ପ୍ରକାଶ ପାଇଛି। ସୈନ୍ୟମାନଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଇଥିବା କମାଣ୍ଡରଙ୍କୁ ଦଣ୍ଡିତ କରାଯାଉ ବୋଲି ରୁଷୀୟ ଜାତୀୟତାବାଦୀ ବ୍ଲଗରମାନେ ଦାବି କରିଛନ୍ତି। ଅପରପକ୍ଷରେ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସେମାନଙ୍କର ଏକ ଅସ୍ଥାୟୀ ସେନା କ୍ୟାମ୍ପ୍‌ ଉପରେ ୟୁକ୍ରେନ ୪ଟି ମିଶାଇଲ୍‌ ମାଡ଼ କରିଛି। ଏଥିରେ ୬୩ ସୈନ୍ୟ ପ୍ରାଣ ହରାଇଛନ୍ତି। ବିସ୍ଫୋରଣ ଯୋଗୁ ରୁଷିଆ ଅଧିକୃତ ଡୋନେକ୍ସର ଆଞ୍ଚଳିକ ରାଜଧାନୀ ମାକିଭ୍‌କା ଟୁଇନ୍‌ ସିଟିରେ ଥିବା ଅସ୍ଥାୟୀ ବାରାକ ଧ୍ୱଂସ ହୋଇଯାଇଛି। ନୂଆବର୍ଷରେ ରୁଷିଆ ୟୁକ୍ରେନ୍‌ ଉପରେ ଘନ ଘନ ମିଶାଇଲ ମାଡ଼ କରିଥିଲା। ୟୁକ୍ରେନ୍‌ର ବେସାମରିକ ଭିତ୍ତିଭୂମିକୁ କ୍ରେମ୍‌ଲିନ୍‌ ଟାର୍ଗେଟ କରିଥିଲା। ଏଥିସହିତ ରୁଷିଆ କିଭ୍‌କୁ ୪୦ଟି ଡ୍ରୋନ୍‌ ଛାଡ଼ିଥିଲା। ସେଗୁଡ଼ିକୁ ଧ୍ୱଂସ କରିଦିଆଯାଇଥିବା କିଭ୍‌ ମେୟର ଭିଟାଲି କ୍ଲିସ୍‌କୋ କହିଛନ୍ତି।

Share