Categories: ଜାତୀୟ

ପିଓକେ ଲଞ୍ଚପ୍ୟାଡ୍‌ରେ ୪୦୦ ଆତଙ୍କବାଦୀ

ନୂଆଦିଲ୍ଲୀ,୧୩।୧(ଆଇଏଏନ୍‌ଏସ୍‌):: ଭାରତରେ ଅନୁପ୍ରବେଶ ଲାଗି ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର ବିଭିନ୍ନ ଲଞ୍ଚ୍‌ପ୍ୟାଡ୍‌ ଓ ପ୍ରଶିକ୍ଷଣ ଶିବିରରେ ୩୫୦ରୁ ୪୦୦ ଆତଙ୍କବାଦୀ ଉପସ୍ଥିତ ଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ବୁଧବାର କହିଛନ୍ତି। ଭାରତୀୟ ସେନାର ବାର୍ଷିକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ଜେନେରାଲ ନରଓ୍ବଣେ କହିଛନ୍ତି, ପାକିସ୍ତାନ ପଟୁ ନିୟନ୍ତ୍ରଣ ରେଖା ପ୍ରତି ବିପଦକୁ ଅଣଦେଖା କରାଯାଇପାରିବ ନାହଁି। ଗତବର୍ଷ ଫେବୃୟାରୀରେ ଦୁଇଦେଶର ସାମରିକ କାର୍ଯ୍ୟାନୁଷ୍ଠାନର ମହାନିର୍ଦ୍ଦେଶକ (ଡିଜିଏମ୍‌ଓ)ଙ୍କ ମଧ୍ୟରେ ବୈଠକ ବସି ସୀମାରେ ସ୍ଥାୟୀ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ରାଜିନାମା କଡ଼ାକଡ଼ି ପାଳନ କରିବା ସହ ଏଲ୍‌ଓସିରେ ଅସ୍ତ୍ରବିରତି ବୁଝାମଣାକୁ କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଏହା ପରେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ହ୍ରାସ ପାଇବା ସହ ସ୍ଥିତିରେ ଉନ୍ନତି ଆସିଥିଲା। ଏବେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଲଞ୍ଚପ୍ୟାଡ୍‌ରେ ଆତଙ୍କବାଦୀ ସଂଖ୍ୟା ବଢ଼ିବା ସହ ସେମାନେ ବାରମ୍ବାର ଅନୁପ୍ରବେଶ ଉଦ୍ୟମ ଚଳାଉଥିବାରୁ ପାକିସ୍ତାନର କୁତ୍ସିତ ଉଦ୍ଦେଶ୍ୟ ପଦାରେ ପଡ଼ିଯାଇଛି ବୋଲି ନରଓ୍ବଣେ କହିଛନ୍ତି। ତେବେ ଆତଙ୍କବାଦକୁ କଦାପି ବରଦାସ୍ତ କରାଯିବନି ବୋଲି ସେ ଚେତାବନୀ ଦେଇଛନ୍ତି।

Share