ଆନନ୍ଦପୁର,୧୧।୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲାର ଏକମାତ୍ର ଗ୍ରାମ ଆନନ୍ଦପୁର ପୌର ପରିଷଦ ଫକୀରପୁରରେ ଆଜକୁ ୪ ଶହ ବର୍ଷ ଧରି ଟସର ଶିଳ୍ପ ଚାଲି ଆସୁଛି। ଗ୍ରାମରେ ୪୦୦ ବୁଣାକାର ପରିବାର ଟସର କୋଷାରୁ ସୂତା ଉପତ୍ାଦନ କରିବା, ହସ୍ତତନ୍ତରେ ବଜାରର ଚାହିଦା ମୁତାବକ ଶାଢ଼ି, ସ୍କାର୍ଫ, ଡ୍ରେସ୍ ମ୍ୟାଟେରିଆଲ୍ସ, ଧୋତି ଯୋଡ଼, କାଣ୍ଟିଆ ଚଦର ତଥା ରପ୍ତାନିଯୋଗ୍ୟ ଟସରବସ୍ତୁ ବୁଣାବୁଣି କରି ପରିବାର ଭରଣପୋଷଣ କରିଆସୁଛନ୍ତି। କୁଶଳୀ ବୁଣାକାରଙ୍କ ଦ୍ୱାରା ଟସର ସୂତାକୁ ନିଜର ପୁରାତନ ପ୍ରଣାଳୀରେ ବିଭିନ୍ନ ଗଛର ପତ୍ର, ଚେର ଓ ଫୁଲକୁ ସାଉଁଟି ସେଥିରୁ ରଙ୍ଗ ପ୍ରସ୍ତୁତ କରି ସୂତାକୁ ରଙ୍ଗ କରିଥାନ୍ତି। ଏହା ମାଧ୍ୟମରେ ନିଖୁଣ ଶାଢ଼ି ପ୍ରସ୍ତୁତ କରାଯାଏ। ମାତ୍ର ଉକ୍ତ ଶିଳ୍ପକୁ ଅଣଦେଖା ତଥା ବିଭାଗୀୟ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁ ଏବେ ଫକୀରପୁରର ବୁଣାକାର ପରିବାର ଆର୍ଥିକ ସଙ୍କଟରେ କାଳାତିପାତ କରୁଛନ୍ତି। ଆବଶ୍ୟକ ଟସର କୋଷା ମିଳୁ ନ ଥିବାରୁ କୌଳିକ ବୃତ୍ତି ଛାଡ଼ି ଦାନନ ଯିବାକୁ ପ୍ରସ୍ତୁତ ହେଉଥିବା ସେମାନେ କହିଛନ୍ତି।
ଯେ, ଫକୀରପୁରର ୪୦୦ ବୁଣାକାର ପରିବାରରେ ୨ ହଜାରରୁ ଊର୍ଦ୍ଧ୍ୱ ବୁଣାକାରଙ୍କର ବାର୍ଷିକ ୨ ଲକ୍ଷ ୮୦ ହଜାର ଟଙ୍କାର ଟସର କୋଷାର ଆବଶ୍ୟକତା ରହିଛି। ସରକାରୀସ୍ତରରେ ବୁଣାକାରଙ୍କୁ ଏ, ବି, ସି, ଡି ୪ ଗୋଟି ତାଲିକାରେ ବିଭକ୍ତ କରି ମୁଣ୍ଡ ପିଛା ୨୦୨୧-୨୨ରେ ମାତ୍ର ୪୪ ଲକ୍ଷ ୧ ହଜାର ଟଙ୍କାର, ୨୦୨୨-୨୩ ଆର୍ଥିକ ବର୍ଷରେ ୩୭ ଲକ୍ଷ ୭୭ ହଜାର ଟଙ୍କାର ଟସର କୋଷା ଯୋଗାଯାଇଛିି। ଏହାକୁ ଏ ଗ୍ରେଡ୍ ପାଇଁ ବାର୍ଷିକ ୧ ଲକ୍ଷ ଟଙ୍କା, ବି ପାଇଁ ୩୦ ହଜାର ଟଙ୍କାର, ସି ପାଇଁ ୫ ହଜାର ୫ ଶହ ଟଙ୍କାର ଓ ଡି ପାଇଁ ୧ ହଜାର ଟଙ୍କାର ମୁଣ୍ଡ ପିଛା ହିସାବରେ ଟସର ଯୋଗାଇଦେବାକୁ ସ୍ଥିର ହୋଇଛି। ଯୋଗାଣ ହେବାକୁ ସ୍ଥିର ହୋଇଥିବା ଟସରକୋଷା ମାତ୍ର ୧ ମାସର ଖୋରାକ। ଅବଶିଷ୍ଟ ଦିନଗୁଡ଼ିକ ପାଇଁ ସେମାନଙ୍କ ନିକଟରେ ଆଉ କାମ କିଛି ନାହିଁ। ଫଳରେ ବୁଣାକାରମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ପରିବାର ଭରଣପୋଷଣ ପାଇଁ ଟସର କୋଷାର ଅଭାବ ହେତୁ ବାହାର ରାଜ୍ୟକୁ ଖଟିବା ପାଇଁ ଯିବାକୁ ଅଣ୍ଟା ଭିଡ଼ିଲେଣି। ଏଥିସହ ଆଗାମୀ ଦିନରେ ଟସର କୋଷା ଉପରେ ନିର୍ଭର କରୁଥିବା ଫକୀରପୁର ସହ ଗୋପାଳପୁର, ନୂଆପାଟଣା, ମାଙ୍କିଡ଼ିଆ, ଓଳସିଂହ ପ୍ରଭୃତି ଅଞ୍ଚଳର ବୁଣାକାରମାନେ ସଙ୍ଗଠିତ ହୋଇ ବୟନଶିଳ୍ପ ନିର୍ଦ୍ଦେଶାଳୟ, ସେରିଫେଡ୍ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ସରକାରଙ୍କ ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗ ଅଧୀନରେ ଥିବା ରେଶମ ଶିଳ୍ପ ବିଭାଗ ରାଜ୍ୟର ଟସର ସମବାୟ ସମିତି ଦ୍ୱାରା ଟସର କୋଷା ଉପତ୍ାଦନ କରି ଓଡ଼ିଶା ରାଜ୍ୟ ଟସର ଓ ରେଶମ ଫେଡେରେଶନ (ସେରିଫେଡ୍)କୁ ବିକ୍ରି କରିଥାଏ। ସେରିଫେଡ୍ ଏହାର ମାର୍କେଟିଂ ଦାୟିତ୍ୱ ଗ୍ରହଣକରି ରାଜ୍ୟର ସମସ୍ତ ଟସର ବସ୍ତ୍ର ବୁଣାକାରଙ୍କୁ ନିର୍ଦ୍ଧାରିତ ଦରରେ ଟସର କୋଷା ବିକ୍ରି କରିଥାଏ। ମାତ୍ର ସେରିଫେଡ୍ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ଫକୀରପୁର ଆଞ୍ଚଳିକ ବୁଣାକାର ସଂଘ ସଭାପତି ପୀତବାସ ଦାସ ଅଭିଯୋଗ କରିଛନ୍ତି। ରାଜ୍ୟର ଜଳବାୟୁ, ଟସର କୋଷା ଚାଷ ପାଇଁ ଅନୁକୂଳ ହୋଇଥିବା ବେଳେ ସାଧାରଣତଃ ଏହି ଚାଷ ଜନଜାତି ସମ୍ପ୍ରଦାୟର ଲୋକେ କରିଥାନ୍ତି। ସେମାନଙ୍କ ପାଇଁ ରାଜ୍ୟରେ ବିଭିନ୍ନ ଜିଲାରେ ଚାଷ ପାଇଁ ଆବଶ୍ୟକ ଅସନ ଓ ଅର୍ଜୁନ ଗଛ ମହଜୁଦ ରହିଛି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ ଚାଷରେ ପ୍ରତିବନ୍ଧକ ସାଜିଛି। ଚାଷୀମାନଙ୍କୁ ଠିକଣା ସମୟରେ ଟସର ଅଣ୍ଡା (ବିହନ) ଯୋଗାଇ ଦିଆଯାଉ ନ ଥିବା, ଆବଶ୍ୟକ ତାଲିମ ଓ ଚାଷ ଉପକରଣ, ରାସାୟନିକ ପଦାର୍ଥ ତଥା ଚାଷ ପାଇଁ ଚାଷ ବୀମା କରାଯାଉ ନ ଥିବାରୁ ଟସର ଉପତ୍ାଦନ କମିଯାଉଛି ବୋଲି ଦାସ କହିଛନ୍ତି।