ଫୁଲବାଣୀ,୧୭ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଅଞ୍ଚଳର ପ୍ରିୟବ୍ରତ ସାହୁ ସୂଚନା ଅଧିକାର ଆଇନ ବଳରେ ସ୍ଥାନୀୟ ଥାନାରେ କିଛି ସୂଚନା ମାଗିଥିଲେ। ଏ ବାବଦକୁ ୪୭୦ ଟଙ୍କା ଜମା କରିବାକୁ ଥାନା ପକ୍ଷରୁ କୁହାଯାଇଥିଲା। ୨୦୨୨ ଏପ୍ରିଲ ୧୮ରେ ପ୍ରିୟବ୍ରତ ଭୁବନେଶ୍ୱରର ଅଶୋକନଗର ପୋଷ୍ଟ ଅଫିସରେ ଦାରିଙ୍ଗବାଡି ଥାନାକୁ ୪୭୦ ଟଙ୍କାର ମନି ଅର୍ଡର କରିଥିଲେ। ୧୯ରେ ଉକ୍ତ ଟଙ୍କା ଦାରିଙ୍ଗବାଡି ପୋଷ୍ଟ ଅଫିସ ଗ୍ରହଣ କରିଥିଲା। ହେଲେ ଦାରିଙ୍ଗବାଡି ଥାନା ଅଧିକାରୀଙ୍କ ଚାପରେ ପୋଷ୍ଟ ମାଷ୍ଟର ଟଙ୍କାକୁ ନିଜ ପାଖରେ ରଖି ଦେଇଥିଲେ। ଦୀର୍ଘ ଦିନ ଧରି ଟଙ୍କା ଖର୍ଚ୍ଚ କରି ସୂଚନା ନ ମିଳିବାରୁ ସେ ଡାକ ବିଭାଗରେ ଅଭିଯୋଗ କରିଥିଲେ। ବିଭାଗ ମେ’ ୨୦ରେ ତାଙ୍କୁ ୪୭୦ ଟଙ୍କା ଫେରାଇଥିଲା। ଦାରିଙ୍ଗବାଡି ଥାନାଧିକାରୀ ଉକ୍ତ ଟଙ୍କା ଗ୍ରହଣ କରୁ ନ ଥିବାରୁ ଆପଣଙ୍କୁ ଫେରସ୍ତ କରାଗଲା ବୋଲି ପୋଷ୍ଟ ମାଷ୍ଟର କହିଥିଲେ। ପ୍ରିୟବ୍ରତ ଜିଲା ଖାଉଟି ବିବାଦ ସମାଧାନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକାରୀଙ୍କୁ ୩୦ ଦିନ ମଧ୍ୟରେ ୪୦ ହଜାର ଟଙ୍କା ଜରିମାନା ଦେବା ପାଇଁ ଖାଉଟି ଅଦାଲତ ସଭାପତି ମିଶ୍ର ଡାକ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।