Categories: ଜାତୀୟ

ଓଡ଼ିଶା ହାଇକୋର୍ଟରେ ୧୨ ବିଚାରପତି ପଦ ଖାଲି

ନୂଆଦିଲ୍ଲୀ,୨୪।୩: ଦେଶର ୨୫ଟି ହାଇକୋର୍ଟର ମୋଟ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ସଂଖ୍ୟା ୧୧୦୪ ହୋଇଥିବା ବେଳେ ଏବେ ୬୯୯ ଜଣ କାର୍ଯ୍ୟ କରୁଛନ୍ତି। ୪୦୫ ବିଚାରପତି ପଦବୀ ଖାଲି ପଡ଼ିଛି। ସେଥି ମଧ୍ୟରୁ ଓଡ଼ିଶା ହାଇକୋର୍ଟରେ ୧୨ ବିଚାରପତି ପଦବୀ ଖାଲି ଥିବା ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଚାରପତି ନିଯୁକ୍ତି ଲାଗି ୧୭୫ଟି ପ୍ରସ୍ତାବ ସୁପ୍ରିମକୋର୍ଟ କଲେଜିୟମ ଏବଂ ସରକାରଙ୍କ ମଧ୍ୟରେ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ବିଚାରାଧୀନ ରହିଥିବା ଆଇନ ମନ୍ତ୍ରୀ କିରେନ ରିଜିଜୁ ଗୁରୁବାର ରାଜ୍ୟ ସଭାରେ କହିଛନ୍ତି।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆଲ୍ଲାହାବାଦ ହାଇକୋର୍ଟରେ ସର୍ବାଧିକ ୬୭ ବିଚାରପତି ପଦବୀ ପୂରଣ ହୋଇନାହିଁ। ସେହିପରି ବମ୍ବେ ହାଇକୋର୍ଟରେ ୩୬ଟି ଏବଂ ପଞ୍ଜାବ ହରିୟାଣା ହାଇକୋର୍ଟରେ ୩୬ ବିଚାରପତି ପଦ ଖାଲି ପଡ଼ିଛି। ଓଡ଼ିଶା ହାଇକୋର୍ଟରେ ୨୪ ସ୍ଥାୟୀ ଓ ୯ ଅତିରିକ୍ତ ପଦବୀ ସମେତ ୩୩ ବିଚାରପତି ପଦବୀ ରହିଥିବା ବେଳେ ବର୍ତ୍ତମାନ ୨୧ଜଣରେ କାର୍ଯ୍ୟ ଚାଲିଛି। ୧୨ ପଦବୀ ଖାଲି ରହିଛି।

Share