କରୋନାରେ ଅନାଥ ଶିଶୁମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ‘ବାଲ ସେବା ଯୋଜନା’

ଲକ୍ଷ୍ନୌ,୨୨ ।୭: କରୋନା ମହାମାରୀ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଆମ ଦେଶରେ ଏହାର ପ୍ରଭାବ ବହୁ ଅଧିକ ରହିଛି । ଦୀର୍ଘ ପ୍ରାୟ ୧୬-୧୭ ମାସ ହେବ ତାଣ୍ଡବ ରଚିଛି କରୋନା । ଏହି ସମୟରେ ଯେଉଁ ଶିଶୁମାନେ କରୋନାରେ ସେମାନଙ୍କ ମାତାପିତାଙ୍କୁ ହରାଇଛନ୍ତି ସେଭଳି ଶିଶୁଙ୍କ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ବାଲ ସେବା ଯୋଜନା’ ଆରମ୍ଭ କରିଛନ୍ତି । ଜଣାପଡିଛି କି କରୋନା ସମୟରେ ପ୍ରାୟ ୪୦୫୦ ଜଣ ଶିଶୁ ଅନାଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୦ ଜଣ ନିଜ ମାତାପିତାଙ୍କୁ ହରାଇଥିବା ବେଳେ ପ୍ରାୟ ୩୮୧୦ଜଣ ମାତାପିତାଙ୍କ ମଧ୍ୟରୁ ଜଣକୁ ଅବା ଲିଗାଲ ଗାର୍ଡିଅନଙ୍କୁ ହରାଇଛନ୍ତି । ଏଭଳି ପିଲାମାନଙ୍କ ପାଇଁ ଉତ୍ତର ପ୍ରଦେଶ ସରକାର ଆରମ୍ଭ କରିଥିବା ବାଲ ସେବା ଯୋଜନାରେ ପ୍ରତି ଶିଶୁଙ୍କୁ ମାସକୁ ୪ଜାର ଟଙ୍କା ଯୋଗାଇ ଦିଆଯିବ । ଏହାସହ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ରାଜ୍ୟ ସରକାର ଏମାନଙ୍କ ଲାଳନ ପାଳନ ଦାୟିତ୍ୱ ନେବେ । ଏମାନଙ୍କୁ ବାଲ ସଂରକ୍ଷଣ ଗୃହରେ ରଖାଯିବ । ବାଲ ସେବା ଯୋଜନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଆମେ ସମସ୍ତେ ଜାଣିଛେ ଗତ ୧୬-୧୭ ମାସ ହେବ ଆମେ ଚଳିତ ଶତାବ୍ଦିର ସବୁଠାରୁ ବଡ ମାହାମମାରୀ ସହ ଲଢି ଚାଲିଛେ । କେବଳ ଆମେ ନୁହେଁ ବିଶ୍ୱର କିଛି ବିକାଶଶୀଳ ଦେଶ ବି ଏହି ସମସ୍ୟା ଦେଇ ଗତି କରୁଛି । ଏହି ମହାମାରୀକୁ ଦୂରେଇବା ପାଇଁ କେଉଁ କେଉଁ ଉପାୟ କରାଯିବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ଜନତାଙ୍କ ମତ ଲୋଡୁଛନ୍ତି ।

Share