Categories: ଖେଳ

ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ

ବଲାଙ୍ଗୀର, ୩୦ା୯(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ସଦର ମହକୁମାସ୍ଥିତ ପୃଥ୍ବୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ୍‌ରେ ତିନିଦିନ ବ୍ୟାପୀ ଆୟୋଜିତ ରାଜ୍ୟ ସ୍କୁଲ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହୋଇଛି। ୧୪ ବର୍ଷରୁ କମ୍‌ ବାଳକ ବିଭାଗରେ କଟକ ଚାମ୍ପିୟନ ଓ ସମ୍ବଲପୁର ଉପବିଜେତା ହୋଇଥିଲା। ୧୪ବର୍ଷରୁ କମ୍‌ ବାଳିକା ବିଭାଗରେ ଭୁବନେଶ୍ୱର ଚାମ୍ପିୟନ୍‌ ହୋଇଥିବାବେଳେ ସମ୍ବଲପୁର ଉପବିଜେତା ହୋଇଥିଲା। ୧୭ବର୍ଷରୁ କମ୍‌ ବାଳକ ବିଭାଗରେ ଭୁବନେଶ୍ୱର ଚାମ୍ପିୟନ୍‌ ହୋଇଥିବାବେଳେ ରାୟଗଡ଼ା ଉପବିଜେତା ହୋଇଥିଲା। ୧୭ବର୍ଷରୁ କମ୍‌ ବାଳିକା ବିଭାଗରେ ମୟୂରଭଞ୍ଜ ଚାମ୍ପିୟନ ହୋଇଥିବାବେଳେ ଭୁବନେଶ୍ୱର ଉପବିଜେତା ହୋଇଥିଲା। ଏଠାରୁ ଚୟନ ହୋଇଥିବା ସବୁବର୍ଗର ଖେଳାଳି ଜାତୀୟ ସ୍ତରରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଜିଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗୀର ଜିଲା ଆରକ୍ଷୀ ଅଧୀକ୍ଷକ ଋ଼ଷିକେଶ ଖିଲାରି ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଖେଳୁଆଡ ମନୋଭାବ ରଖି ଖେଳିବା ପାଇଁ ପରାମର୍ଶ ଦେଇଥିଲେ। ବଲାଙ୍ଗୀର ଡିଏଫ୍‌ଓ ନୀତିଶ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବଲାଙ୍ଗୀର ଜିଲାରେ ଜାତୀୟ ମାନର ଏକ ଇନ୍‌ଡୋର ଷ୍ଟାଡିୟମ୍‌ର ଅନୁଭୂତି ପିଲାଙ୍କ ଖେଳକୁ ଆହୁରି ଆଗକୁ ନେବ ବୋଲି କହିଥିଲେ। ରାଜ୍ୟ ସ୍କୁଲ ଶାରୀରିକ ଶିକ୍ଷା ଉପନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ପଧାନ ଖେଳର ସମସ୍ତ ବିବରଣୀ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ କେଶବ ମେହେର, ବଲାଙ୍ଗୀର ବ୍ୟାଡ୍‌ମିଣ୍ଟନ ଆସୋସିଏଶନ୍‌ର ସମ୍ପାଦକ ସୁରୁଲାଲ ମଟାରୀ, କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ପାତ୍ର ମଞ୍ଚାସୀନ ଥିଲେ। ଅନ୍ତର୍ଯ୍ୟାମୀ ବିଶ୍ୱାଳ ସଭାରେ ସଂଯୋଜନା କରିଥିଲେ। ପ୍ରତିଯୋଗିତାରେ ରାଜ୍ୟ ଓ ଜିଲାର ସ୍ବୀକୃତିପ୍ରାପ୍ତ ଅଭିଜ୍ଞ ଟେକ୍ନିକାଲ ଅଫିସିଆଲ୍‌ ସମସ୍ତ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Share