ଭୁବନେଶ୍ୱର,୧୮ା୧୦(ବ୍ୟୁରୋ):ରାଜ୍ୟର ବିଭିନ୍ନ ଥାନା ହାଜତରେ ଅଭିଯୁକ୍ତ ତଥା ସନ୍ଦିଗ୍ଧମାନଙ୍କୁ ପୋଲିସ ଅନେକ ସମୟରେ ନିର୍ଯାତନା ଦେବା ସହ ମାଡ଼ ମାରିବାର ନଜିର ରହିଛି। ଫଳରେ ପୋଲିସ ହେପାଜତରେ ବା ଥାନା ହାଜତରେ ଥାଇ ବହୁ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। କେତେକ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ ବହୁ ଘଟଣା ଫାଇଲ ତଳେ ଚାପି ହୋଇଯାଇଛି। ଅନେକ କ୍ଷେତ୍ରରେ ବିବାଦରେ ଛନ୍ଦି ହୋଇଯାଇଥିବା ପୋଲିସ ବଦନାମ ଭୟରେ ନିଜ ନାମରେ ଆସୁଥିବା ଏପରି ଅଭିଯୋଗକୁ ନାନାଭାବେ ଏଡାଇ ଯାଇଥିବା ଅଭିଯୋଗ ରହିଛି। ତେବେ ଦୋଷୀ ପୋଲିସ ବିରୋଧରେ ସେଭଳି କୌଣସି ବଳିଷ୍ଠ ପଦକ୍ଷେପ ନିଆଯାଉ ନ ଥିବାରୁ ହାଜତ ମୃତ୍ୟୁ ମାମଲାରେ ରୋକ ଲାଗିପାରୁ ନ ଥିବା କୁହାଯାଉଛି। ଗତ ୮ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୧୫ରୁ ୨୦୨୨ ଜୁଲାଇ ସୁଦ୍ଧା ରାଜ୍ୟରେ ୪୧ଟି ହାଜତ ମୃତ୍ୟ ଘଟଣା ଘଟିଛି। ରାଜ୍ୟ ପୋଲିସର ମାନବିକ ଅଧିକାର ସୁରକ୍ଷା ସେଲ୍ (ଏଚ୍ଆର୍ପିସି) ପକ୍ଷରୁ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍ଗୋଙ୍କୁ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।
ତଥ୍ୟ ଅନୁଯାୟୀ, ୨୦୧୫ରେ ରାଜ୍ୟରେ ସର୍ବାଧିକ ୮ଟି ହାଜତ ମୃତ୍ୟୁ ହୋଇଥିଲା। ସେହିପରି ୨୦୧୬ରେ ୪, ୨୦୧୭ରେ ୩, ୨୦୧୮ରେ ୩, ୨୦୧୯ରେ ୭, ୨୦୨୦ରେ ୭, ୨୦୨୧ରେ ୫ ଏବଂ ୨୦୨୨ ଜୁଲାଇ ଶେଷ ସୁଦ୍ଧା ୪ଟି ହାଜତ ମୃତ୍ୟୁ ଘଟଣା ଘଟିଛି। ସାମାଜିକ ଏବଂ ଆର୍ଥିକ ସ୍ତରରେ ସ୍ବଚ୍ଛଳ ନ ଥିବା ସାଧାରଣ ନାଗରିକମାନେ ହାଜତ ମୃତ୍ୟୁର ଅଧିକ ଶିକାର ହୁଅନ୍ତି। ଥାନା ହାଜତରେ ଘଟୁଥିବା ଘଟଣାରେ ଉପରିସ୍ଥ ପୋଲିସ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ନ ଥିବାରୁ ଏଭଳି ଘଟଣା ଘଟୁଥିବା କୁହାଯାଉଛି। ଅନ୍ୟପକ୍ଷରେ ବଢ଼ୁଥିବା ହାଜତ ମୃତ୍ୟୁ ଘଟଣାକୁ ନେଇ ୧୯୯୭ରେ ଡି.କେ ବାସୁ ବନାମ ପଶ୍ଚିମବଙ୍ଗ ମାମଲାରେ ସୁପ୍ରିମକୋର୍ଟ ୧୧ଟି ସର୍ତ୍ତାବଳୀ ମାନିବାକୁ ପୋଲିସ ଏବଂ ତଦନ୍ତକାରୀ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଥିଲେ। ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ ପୋଲିସ କୋର୍ଟ ଚାଲାଣ କରିବ, ଗିରଫ ପରେ ଅଭିଯୁକ୍ତଙ୍କ ପରିବାର ଲୋକ ଓ ତାଙ୍କ ଓକିଲଙ୍କୁ ପୋଲିସ ଖବର ଦେବ, ପୋଲିସ ଯାହାଙ୍କୁ ପଚରାଉଚରା କରୁଛି ସେମାନଙ୍କ ପରିବାର ତଥା ସମ୍ପର୍କୀୟଙ୍କୁ ଜଣାଇବ, ଜଣେ ଅଭିଯୁକ୍ତଙ୍କୁ କେଉଁଠୁ ଗିରଫ କରାଗଲା, ସେଦିନର ତାରିଖ, ଥାନାକୁ କିପରି ଅଣାଗଲା ଆଦି ତଥ୍ୟକୁ ପୋଲିସ ଏହାର କେସ୍ ଡାଏରୀରେ ଉଲ୍ଲେଖ କରିବ। ଏଭଳି ଏକାଧିକ ସର୍ତ୍ତାବଳୀ ମାନିବାକୁ ସୁପ୍ରିମ କୋର୍ଟ କହିଥିଲେ। ତେବେ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କହିଛନ୍ତି, ୨୦୧୫ରୁ ୨୦୨୨ ମଧ୍ୟରେ ରାଜ୍ୟରେ କେତେ ହାଜତ ମୃତ୍ୟୁ ଘଟଣା ଘଟିଥିଲା, ସେଥିରୁ କେତୋଟି ଜାତୀୟ ମାନବିକ ଅଧିକାର କମିଶନ ଓ ରାଜ୍ୟ କମିଶନରେ ଅଭିଯୋଗ ହୋଇଥିଲା, କେଉଁ ଘଟଣାରେ କେତେ କ୍ଷତିପୂରଣ ପ୍ରଦାନ କରାଯାଇଛି, କେଉଁ ସବୁ ଘଟଣାରେ ସମ୍ପୃକ୍ତଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଫୌଜଦାରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ପ୍ରତି ହାଜତ ମୃତ୍ୟୁ ଘଟଣାର ସଂକ୍ଷିପ୍ତ ବିବରଣୀ ପ୍ରଦାନ ପାଇଁ ତଥ୍ୟ ମଗାଯାଇଥିଲା। ହେଲେ ଏସଂକ୍ରାନ୍ତରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇନାହିଁ। ପ୍ରକୃତ ତଥ୍ୟ ସର୍ବସାଧାରଣରେ ପ୍ରଘଟ ହେଲେ ପୋଲିସ ବିଭାଗ ପଦାରେ ପଡ଼ିଯିବା ଆଶଙ୍କାରେ ସୂଚନା ଆଇନକୁ ଉଲ୍ଲଂଘନ କରାଯାଇଛି। ତେବେ ଏହା ବିରୋଧରେ ସେ ସୂଚନା କମିଶନ ଓ ଉପଯୁକ୍ତ ସ୍ତରରେ ପ୍ରଥମ ଅପିଲ କରିବେ ବୋଲି ବିଶ୍ୱପ୍ରିୟ କହିଛନ୍ତି।