Categories: ରାଜ୍ୟ

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀରେ ୪୧ ପ୍ଲାଟୁନ୍‌‌ ପୋଲିସ, ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌‌

ପୁରୀ,୨୬ା୧୧: ଶ୍ରୀକ୍ଷେତ୍ର ପୁରୀରେ ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ତୀର୍ଥ ପୁଷ୍କରିଣୀଗୁଡ଼ିକରେ ବୁଡ଼ ପକାଇବା ସହ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶଦେଖିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ସେହିପରି ସମୁଦ୍ରକୂଳ ଅଞ୍ଚଳ ଓ ରାସ୍ତାକୁ ଆଲୋକିତ କରାଯିବା ସହ ୪୦ ଜଣ ଲାଇଫ୍‌‌ ଗାର୍ଡ ଓ ଶତାଧିକ ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ସମଗ୍ର ଜିଲ୍ଲାରେ ୪୧ ପ୍ଲାଟୁନ୍‌‌ ପୋଲିସ ଫୋର୍ସଙ୍କ ସମେତ ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ପୋଲିସ ଅଫିସରଙ୍କୁ ନିୟୋଜିତ କରାଯାଇଛି।

କାର୍ତ୍ତିକ ପଞ୍ଚୁକରେ ଶ୍ରୀଜୀଉଙ୍କର ରାତ୍ରପହୁଡ଼ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ କୁମାର ଦାଶ ପ୍ରକାଶ କରିଛନ୍ତି। ଆବଶ୍ୟକ ହେଲେ କିଛି ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଇଛି। ଏହି ସମୟରେ ଭକ୍ତଙ୍କ ଗହଳିକୁ ଲକ୍ଷ୍ୟ କରି ପ୍ରଶାସନ ଏ ନେଇ ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।

ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣିମାପାଇଁ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ବ୍ରହ୍ମପୁର ଓ କଟକଠାରୁ ପୁରୀକୁ ଅଣସଂରକ୍ଷିତ ସ୍ୱତନ୍ତ୍ର ରେଳ ଚଳାଚଳ ନେଇ ବ୍ୟବସ୍ଥା କରାଯାଇଛି । ବ୍ରହ୍ମପୁର-ପୁରୀ-ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ୍‌‌ ଆଜି ବ୍ରହ୍ମପୁରଠାରୁ ସନ୍ଧ୍ୟା ୮ଟା ୪୦ ମିନିଟ୍‌‌ରେ ଛାଡ଼ି ପୁରୀଠାରେ ରାତି ୧୧ଟା ୪୫ ମିନିଟ୍‌‌ରେ ପହଞ୍ଚିବ। ସେହିପରି କଟକ- ପୁରୀ-କଟକ ସ୍ୱତନ୍ତ୍ର ଟ୍ରେନ୍‌‌ ଆଜି କଟକରୁ ରାତି ୧୧ଟା ୩୦ ମିନିଟ୍‌‌ରେ ଛାଡ଼ି ପୁରୀରେ ରାତି ସାଢ଼େ ଗୋଟାଏରେ ପହଞ୍ଚିବ।

Share