Categories: ଫୁରସତ

ନୌସେନାର ୪୧୧ ବର୍ଷର ଇତିହାସ

ଭାରତୀୟ ନୌସେନା ଦିବସ ପ୍ରତିବର୍ଷ ୪ ଡିସେମ୍ବରରେ ପାଳନ କରାଯାଇଥାଏ। ଦେଶର ସାମୁଦ୍ରିକ ସୀମା ସୁରକ୍ଷାରେ ନୌସେନାର ସଫଳତା ଏବଂ ଭୂମିକା ନେଇ ଏହି ଦିବସ ପାଳନ ଅବସରରେ ସଚେତନତା ସୃଷ୍ଟି କରାଯାଇଥାଏ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯୭୧ ଯୁଦ୍ଧରେ ଭାରତୀୟ ନୌସେନାର ଅବିସ୍ମରଣୀୟ ବିଜୟକୁ ସ୍ମରଣ କରିବା ସହ ଯୁଦ୍ଧରେ ଶହୀଦ ହୋଇଥିବା ସମସ୍ତ ନୌସେନା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ଦିବସ ପ୍ରତିବର୍ଷ ପାଳନ କରାଯାଇଥାଏ।
୧୬୧୨ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ଭାରତୀୟ ନୌସେନା ପ୍ରତିଷ୍ଠା କରାଯାଇଥିଲା । ୩ ଡିସେମ୍ବର ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ଭାରତୀୟ ବାୟୁସେନା ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣର ମୁକାବିଲା କରି ଭାରତୀୟ ନୌସେନା ୩ଟି ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ବୀର, ଆଇଏନ୍‌ଏସ୍‌ ନିପାତ ଏବଂ ଆଇଏନ୍‌ଏସ୍‌ ନିର୍ଘଟ କରାଚୀ ମୁହଁା ହୋଇ ପାକିସ୍ତାନ ନୌସେନାକୁ କଡ଼ା ଜବାବ ଦେଇଥିଲେ ।
ଏହି ଅପରେଶନ ସମୟରେ ଭାରତୀୟ ନୌସେନା ପାକିସ୍ତାନ ସେନାର ୩ଟି ଜାହାଜକୁ ନଷ୍ଟ କରିବାକୁ ସକ୍ଷମ ହୋଇଥିଲା । ଭାରତର ନୌସେନାକୁ ଏହି ସଫଳତା ଦେବା ପଛରେ ଆକ୍ରମଣର ନେତୃତ୍ୱ ନେଇଥିବା କମାଣ୍ଡର କେ. ପି. ଗୋପାଳ ରାଓ ହିଁ ଥିଲେ । ଅପରେଶନ ଟ୍ରାଇଡେଣ୍ଟ ନାମରେ ପ୍ରସିଦ୍ଧ ଏହି ଘଟଣାକୁ ସ୍ମରଣୀୟ କରିବା ପାଇଁ ଭାରତୀୟ ନୌସେନା ପକ୍ଷରୁ ଏହି ଦିବସ ପାଳିତ ହୋଇଥାଏ।

୧୯୭୧ ଡିସେମ୍ବର ୪ରେ ଅପରେଶନ ଟ୍ରାଇଡେଣ୍ଟ ସମୟରେ ଭାରତୀୟ ନୌସେନା ପିଏନ୍‌ଏସ୍‌ ଖାଇବର ସମେତ ଚାରିଟି ପାକିସ୍ତାନୀ ଜାହାଜକୁ ଧ୍ୱଂସ କରିଥିଲା। ଏହି ଘଟଣାରେ ଶହେରୁ ଅଧିକ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା।
ଏହି ଯୁଦ୍ଧରେ ଶହୀଦ ହୋଇଥିବା ଭାରତୀୟ ଯବାନଙ୍କ ସ୍ମୃତିରେ ନୌସେନା ଦିବସ ପାଳନ କରାଯାଇଥାଏ।
ଭାରତୀୟ ନୌସେନାରେ ୬୭,୦୦୦ରୁ ଅଧିକ କର୍ମଚାରୀ ଏବଂ ପ୍ରାୟ ୧୫୦ ଜାହାଜ ଏବଂ ବୁଡ଼ାଜାହାଜ ସାମିଲ ଅଛନ୍ତି।
୨୧ ଅକ୍ଟୋବର ୧୯୪୪ରେ ରୟାଲ ଇଣ୍ଡିଆନ ନେଭି ପକ୍ଷରୁ ପ୍ରଥମ ଥର ପାଇଁ ନୌସେନା ଦିବସ ପାଳନ କରାଯାଇଥିଲା। ନୌସେନା ଦିବସ ପାଳନ କରିବାର ମୁଖ୍ୟ ଲକ୍ଷ୍ୟ ଥିଲା ସାଧାରଣ ଲୋକଙ୍କ ମଧ୍ୟରେ ନୌସେନା ବିଷୟରେ ସଚେତନତା ବୃଦ୍ଧି କରାଯିବା। ୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧ ଡିସେମ୍ବରରେ ନୌସେନା ଦିବସ ପାଳନ କରାଯାଇଥିଲା। ୩୦ ନଭେମ୍ବର ୧୯୪୫ ରାତିରେ ନୌସେନା ଦିବସ ପାଳନ ଅବସରରେ ଇନ୍‌କିଲାବ ଜିନ୍ଦାବାଦ ସ୍ଲୋଗାନ ଦିଆଯାଇଥିଲା।

Share