Categories: ଫୁରସତ

୪୧୯ ମିଟର ତଳେ ‘ଦି ଡିପ୍‌ ସ୍ଲିପ୍‌’

ଲଣ୍ଡନ: ଆମେ ବାହାରକୁ ଗଲେ ସେଠାରେ ହୋଟେଲରେ ରହିବାକୁ ପଡେ। ଏପରି ଏକ ହୋଟେଲ ଅଛି, ଯେଉଁଠାରେ କି ବହୁତ ଭଲ ସୁବିଧା ରହିଛି। ହୋଟେଲର ଫଟୋ ଏବଂ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ତେବେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ହୋଟେଲଟି ଭୂମିଠାରୁ ୧,୩୭୫ ଫୁଟ ଅର୍ଥାତ୍‌ ୪୧୯ ମିଟର ତଳେ ରହିଛି। ଏଠାରେ ରହିବାକୁ ଆରାମଦାୟକ ରୁମ୍‌ ରହିଛି। ଲୋକଙ୍କ ପାଇଁ ଏଠାରେ ବହୁତସାରା ଜିନିଷ ରଖାଯାଇଛି। ପ୍ରେମୀ ଯୁଗଳଙ୍କ ପାଇଁ ମଧ୍ୟ ଖାସ୍‌ ରୁମ୍‌ ରହିଛି। ରିପୋର୍ଟ ମୁତାବକ, ଏହି ‘ଦି ଡିପ୍‌ ସ୍ଲିପ’ ହୋଟେଲ ବ୍ରିଟେନର ଉତ୍ତର ୱେଲ୍ସରେ ଥିବା ସ୍ନୋଡୋନିଆ ପାହାଡ଼ ତଳେ ରହିଛି। ଏହା ବିଶ୍ୱର ସବୁଠୁ ଗଭୀରତମ ହୋଟେଲ ବୋଲି କୁହାଯାଉଛି। ଏଠାରେ ୪ ବ୍ୟକ୍ତିଗତ ଟୁଇନ ବେଡ୍‌ ସହିତ ଡବଲ ବେଡ୍‌ ରହିଛି। ଏହାକୁ କେବଳ ଶନିବାର ରାତିରୁ ରବିବାର ସକାଳ ଯାଏ ବୁକ୍‌ କରାଯାଇପାରିବ। ଏହି ହୋଟେଲକୁ ଯିବାକୁ ହେଲେ ଆବଡ଼ାଖାବଡ଼ା ରାସ୍ତା, ହ୍ରଦ, ପାହାଡ଼, ସୁଡ଼ଙ୍ଗ ଦେଇ ଯିବାକୁ ପଡିବ। ଯେଉଁଥିପାଇଁ ପାଖାପାଖି ଘଣ୍ଟାଏ ଟ୍ରାକିଂ କରିବାକୁ ପଡ଼ିବ। ଯିବା ରାସ୍ତାରେ ଅନେକ ପ୍ରାଚୀନ କଳାକୃତିମାନ ଦେଖିବାକୁ ମିଳିବ। ତେବେ ହୋଟେଲରେ ତାପମାତ୍ର ୧୦ ଡିଗ୍ରୀ ରହିବ। ହୋଟେଲର ମ୍ୟାନେଜର ମାଇକ୍‌ ମାରିସ୍‌ କହିଛନ୍ତି, ଏଠାକୁ ଯିଏ ଆସିଛନ୍ତି, ସେମାନଙ୍କୁ ଏହି ଜାଗା ବହୁତ ପସନ୍ଦ ଆସିଛି। ସେମାନଙ୍କୁ ବହୁତ ଭଲ ନିଦ ମଧ୍ୟ ହୋଇଛି। ସେଥିପାଇଁ ଏହି ହୋଟେଲର ନାମ ‘ଦି ଡିପ୍‌ ସ୍ଲିପ’ ରଖାଯାଇଛି। କିନ୍ତୁ ଏଠାରେ ରହିବାକୁ ଆଗୁଆ ବୁକିଂ କରିବାକୁ ପଡ଼ିଥାଏ। ହୋଟେଲରେ ରହିବାକୁ ୩୫ ହଜାରରୁ ଆରମ୍ଭ କରି ୬୦ ହଜାର ମଧ୍ୟରେ ଖର୍ଚ୍ଚ କରିବାକୁ ହେବ।

Share