Categories: ଜାତୀୟ

ହସ୍ପିଟାଲରୁ ୪୨ କରୋନା ରୋଗୀ ନିଖୋଜ, ଚିନ୍ତାରେ ପ୍ରଶାସନ…

ଗାଜିପୁର, ୩୧।୭: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏପରି ସମୟରେ ମଧ୍ୟ କରୋନା ସହ ଜଡିତ ଅନେକ ଅବହେଳା ସାମ୍ନାକୁ ଆସୁଛି। ପୂର୍ବ ୟୁପିର ଗାଜିପୁର ଜିଲାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଗାଜିପୁରରେ ସ୍ବାସ୍ଥ୍ୟବିଭାଗର ରେକର୍ଡରୁ କରୋନା ସଂକ୍ରମିତ ୪୨ ରୋଗୀ ନିଖୋଜ ଅଛନ୍ତି।

ଗାଜିପୁର ଜିଲାରେ ନିଖୋଜ ଥିବା ୪୨ କରୋନା ରୋଗୀଙ୍କ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ଏସିଏମଓ) ଡକ୍ଟର କେ.କେ ଭର୍ମା ଅତିରିକ୍ତ ଜିଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ଲେଖିଛନ୍ତି। ଏସିଏମ୍‌ଓ ଚିଠିରେ ଜିଲା ମାଜିଷ୍ଟ୍ରେଟଙ୍କୁ ନିଖୋଜ କୋଭିଡ -୧୯ ରୋଗୀଙ୍କ ବିଷୟରେ ସୂଚନା ପ୍ରଦାନ କରିବାକୁ ଏବଂ ସେମାନଙ୍କୁ ଟ୍ରାକ କରିବାରେ ସାହାଯ୍ୟ କରିବାକୁ କୁହାଯାଇଛି।
ଏସିଏମଓ କହିଛନ୍ତି, କିଛି ଲୋକ କୋଭିଡ ଟେଷ୍ଟ ସମୟରେ ସଠିକ ମୋବାଇଲ ନଂ ଏବଂ ଠିକଣା ଦିଅନ୍ତି ନାହିଁ। ପରୀକ୍ଷା ଫଳାଫଳ ସକରାତ୍ମକ ହେବା ପରେ ସେମାନଙ୍କୁ ଟ୍ରାକ୍‌ କରିବା କଷ୍ଟସାଧ୍ୟ କରିଥାଏ। ଏହି ପରୀକ୍ଷା ପାଇଥିବା ୪୨ ଜଣ ବ୍ୟକ୍ତି କରୋନା ପଜିଟିଭ୍‌ ହୋଇଥିଲେ କିନ୍ତୁ ଫର୍ମରେ ଲିଖିତ ଫୋନ୍‌ ନମ୍ବରରେ କିମ୍ବା ଫର୍ମରେ ଉଲ୍ଲେଖ କରାଯାଇଥିବା ସେମାନଙ୍କ ଘର ଠିକଣାରେ ଯୋଗାଯୋଗ ହୋଇପାରିଲା ନାହିଁ।

ପ୍ରକାଶ ଯେ, ଗତ ୧୫ ଦିନ ଧରି ରୋଗୀମାନେ ଏଭଳି ନିଖୋଜ ହୋଇଯାଉଛନ୍ତି। ସେମାନଙ୍କ ସଂଖ୍ୟା ୪୨ କୁ ବୃଦ୍ଧି ପାଇବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ଏହି ଗୁରୁତର ପ୍ରସଙ୍ଗ ଉଠାଇଛି।

Share