Categories: ଜାତୀୟ

୧୯୮୮ ପରଠୁ ପଦ ହରାଇଲେଣି ୪୨ ଏମ୍‌ପି

ନୂଆଦିଲ୍ଲୀ,୮ା୫: ଲୋକ ସଭାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦ୍ୟ ଅଯୋଗ୍ୟତା ଜନ ପ୍ରତିନିଧି ଆଇନର ନିୟମ ଉପରେ ବିତର୍କ ସୃଷ୍ଟି କରିଛି, ଯାହା ବଳରେ ୧୯୮୮ ମସିହାରୁ ଅଦ୍ୟାବଧି ୪୨ ଏମ୍‌ପି ନିଜ ପଦ ହରାଇଲେଣି। ୨୦୦୪ ମେ’ ୧୭ରୁ ୨୦୦୯ ମେ’ ୧୮ ପର୍ଯ୍ୟନ୍ତ ଚତୁର୍ଦ୍ଦଶ ଲୋକ ସଭା ଚାଲିଥିବାବେଳେ ‘ପ୍ରଶ୍ନ ପାଇଁ ଟଙ୍କା’ ଦୁର୍ନୀତି ଏବଂ କ୍ରସ୍‌ଭୋଟିଂରେ ଜଡ଼ିତ ସର୍ବାଧିକ ୧୯ ଆଇନପ୍ରଣେତା ନିଜ ସଦସ୍ୟତା ହରାଇଥିଲେ।
ଲୋକ ସଭାରୁ ସଦସ୍ୟମାନଙ୍କୁ ରାଜନୈତିକ ଆନୁଗତ୍ୟ ପରିବର୍ତ୍ତନ, ଅଶୋଭନୀୟ ଆଚରଣ ପ୍ରଦର୍ଶନ, କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଅନୂ୍ୟନ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇବା ଭଳି ବିଭିନ୍ନ କାରଣରୁ ଅଯୋଗ୍ୟ ଘୋଷଣା କରାଯାଇଥାଏ। ଅଯୋଗ୍ୟତାର ସଦ୍ୟତମ ପର୍ଯ୍ୟାୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ମହମ୍ମଦ ଫୈଜାଲ ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ନେତା ଅଫ୍‌ଜଲ ଅନ୍‌ସାରୀ ଅନ୍ତର୍ଭୁକ୍ତ। ଜଣେ ଏମ୍‌ପି କିମ୍ବା ବିଧାୟକ କୌଣସି ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ କିମ୍ବା ତଦୂର୍ଦ୍ଧ୍ୱ ବର୍ଷ ଜେଲ ଦଣ୍ଡାଦେଶ ପାଇଲେ ଲୋକ ପ୍ରତିନିଧି ଆଇନ, ୧୯୫୧ ଧାରା ୮(୩) ଅନୁସାରେ ତାଙ୍କ ସଦସ୍ୟତା ସ୍ବତଃ ରଦ୍ଦ ହୋଇଥାଏ।
ଲାକ୍ଷାଦ୍ୱୀପରୁ ପ୍ରତିନିଧିତ୍ୱ କରୁଥିବା ମହମ୍ମଦ ଫୈଜଲ ୨୦୧୯ ଲୋକ ସଭା ନିର୍ବାଚନ ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଏମ୍‌. ସୟିଦଙ୍କ ଜ୍ୱାଇଁ ମହମ୍ମଦ ସାଲିହଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ କେରଳର କଭରଟ୍ଟି ସେସନ୍ସ କୋର୍ଟରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ଫୈଜଲଙ୍କୁ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଏବଂ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଥିଲେ। ଗତ ଜାନୁୟାରୀ ୧୩ରେ ଲୋକ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଫୈଜଲଙ୍କ ଦଣ୍ଡାଦେଶ ଉପରେ କେରଳ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିବା ପରେ ତାଙ୍କ ସଦସ୍ୟତା ନିଲମ୍ବନକୁ ପ୍ରତ୍ୟାହାର ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାର୍ଚ୍ଚ ୨୯ରେ ଜଷ୍ଟିସ୍‌ କେ.ଏମ୍‌. ଖାନ୍‌ଓ୍ବିଲକର ଏବଂ ବି.ଭି. ନାଗରନତ୍ାଙ୍କ ଖଣ୍ଡପୀଠ ଫୈଜଲଙ୍କ ଆବେଦନକୁ ଗ୍ରହଣ କରିବା ପରେ ତାଙ୍କୁ ଲୋକ ସଭାରେ ପୁନଃ ଅବସ୍ଥାପିତ କରାଯାଇଛି।
ଏହା ପୂର୍ବରୁ ‘ସବୁ ମୋଦି ଚୋର’ ମନ୍ତବ୍ୟ ମାମଲାରେ ଗୁଜରାଟର ସୁରଟ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବା କଂଗ୍ରେସ ନେତା ରାହୁଲଙ୍କ ଲୋକ ସଭା ସଦସ୍ୟତା ରଦ୍ଦ ହୋଇଛି। ୨୦୧୯ ଏପ୍ରିଲ ୧୩ରେ କର୍ନାଟକର କୋଲାରଠାରେ ନିର୍ବାଚନ ପ୍ରଚାର ବେଳେ ରାହୁଲ ଏକ ସଭାକୁ ସମ୍ବୋଧିତ କରି କହିଥିଲେ, ନୀରବ ମୋଦି (ହୀରା ବ୍ୟବସାୟୀ), ଲଳିତ ମୋଦି (ଆଇପିଏଲ୍‌ର ପୂର୍ବତନ କମିଶନର) ଓ ନରେନ୍ଦ୍ର ମୋଦି (ପ୍ରଧାନମନ୍ତ୍ରୀ)ଙ୍କ ଭଳି ସବୁ ମୋଦି ସାଙ୍ଗିଆଧାରୀ କାହିଁକି ଚୋର ବାହାରୁଛନ୍ତି। ମୋଦି ଉପନାମଧାରୀ ଆଉ କେଉଁମାନେ ଚୋର ତାହା ଖୋଜିଲେ ଜଣାପଡ଼ିବ। ପ୍ରଧାନମନ୍ତ୍ରୀଙ୍କ ଉପରେ ଏହି ଆପତ୍ତିଜନକ ମନ୍ତବ୍ୟକୁ ନେଇ ଗୁଜରାଟର ପୂର୍ବତନ ମନ୍ତ୍ରୀ ଥିବା ତଥା ଭାଜପାର ସୁରଟ ଓ୍ବେଷ୍ଟ ବିଧାୟକ ପୂର୍ଣ୍ଣେଶ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାହୁଲ ମୋଦି ସମ୍ପ୍ରଦାୟକୁ ଅପମାନିତ କରିଥିବା ଦର୍ଶାଇ ତାଙ୍କ ବିରୋଧରେ ପୂର୍ଣ୍ଣେଶ ଏତଲା ଦେଇଥିଲେ। ଏହି ଆପରାଧିକ ମାନହାନି ମାମଲାରେ ସୁରଟର ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଏଚ୍‌.ଏଚ୍‌. ବର୍ମା ଗତ ମାର୍ଚ୍ଚ ୨୪ରେ ରାହୁଲଙ୍କୁ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଦଫା ୪୯୯ ଓ ୫୦୦ ବଳରେ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏପ୍ରିଲ ୨୫ରେ ରାହୁଲ ଉକ୍ତ ରାୟକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ସେହିପରି ଗତ ୧ ତାରିଖରେ ଉତ୍ତର ପ୍ରଦେଶସ୍ଥିତ ଗାଜିପୁର ଆସନର ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏମ୍‌ପି ଅଫ୍‌ଜଲ ଅନ୍‌ସାରୀ ଲୋକ ସଭା ସଦସ୍ୟତା ହରାଇଛନ୍ତି। ୨୦୦୫ ନଭେମ୍ବର ୨୯ରେ ଗାଜିପୁର ଭାଜପା ବିଧାୟକ କ୍ରିଷ୍ଣାନନ୍ଦ ରାଏଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ଏହି ଅଭିଯୋଗରେ ୨୦୦୭ ନଭେମ୍ବର ୨୨ରେ ମହମ୍ମଦାବାଦର କୋଟ୍‌ଓ୍ବାଲି ଥାନାରେ ଗ୍ୟାଙ୍ଗ୍‌ଷ୍ଟର ଆଇନ ବଳରେ ମାମଲା ରୁଜୁ କରାଯାଇଥିଲା। ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ଗତ ଏପ୍ରିଲ ୨୯ରେ ଅଫ୍‌ଜଲଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ କାରାଦଣ୍ଡାଦେଶ ଶୁଣାଇଥିଲେ।
୧୯୮୫ରେ ପ୍ରଣୀତ ଦଳ ବଦଳ ଆଇନ ବଳରେ ଲୋକ ସଭା ସଦସ୍ୟତା ହରାଇଥିବା ପ୍ରଥମ ଏମ୍‌ପି ହେଉଛନ୍ତି କଂଗ୍ରେସର ଲାଲଦୁହୋମା। ନବମ ଲୋକ ସଭା ବେଳେ ତତ୍କାଳୀନ ଜନତା ଦଳ ନେତା ଭି.ପି. ସିଂଙ୍କ ମେଣ୍ଟ ସରକାର ଅମଳରେ ଦଳ ବଦଳ ଆଇନ ପ୍ରୟୋଗ କରି ୯ ଏମ୍‌ପିଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ତେବେ ଚତୁର୍ଦ୍ଦଶ ଲୋକ ସଭାରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ଗ୍ରହଣ କରିବା ଅଭିଯୋଗରେ ୧୦ ଏମ୍‌ପି ନିଜ ପଦ ହରାଇଥିଲେ। ସେମାନଙ୍କ ମଧ୍ୟରେ ଭାଜପାର ୬, ବିଏସ୍‌ପିର ୨ ଏବଂ କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ଜଣେ ଲେଖାଏ ସଦସ୍ୟ ଥିଲେ। ବିଏସ୍‌ପିର ଜଣେ ରାଜ୍ୟ ସଭା ସଦସ୍ୟ ମଧ୍ୟ ଉଚ୍ଚ ସଦନରୁ ନିଜ ପ୍ରତିନିଧିତ୍ୱ ଯୋଗ୍ୟତା ହରାଇଥିଲେ। ଆମେରିକା ସହ ଭାରତର ଆଣବିକ ଚୁକ୍ତି ପ୍ରସଙ୍ଗରେ ୨୦୦୮ ଜୁଲାଇରେ ତତ୍କାଳୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା-୧) ସରକାରଠାରୁ ବାମପନ୍ଥୀମାନେ ସମର୍ଥନ ପ୍ରତ୍ୟାହାର କରିଥିଲେ। ସେହି ସମୟରେ କ୍ରସ୍‌ଭୋଟିଂ କରି ଉପା ସରକାରଙ୍କୁ ବଞ୍ଚାଇଥିବା ୯ ଏମ୍‌ପିଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା। ଦଶମ ଲୋକ ସଭା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଏକ ମେଣ୍ଟ ସରକାରର ନେତୃତ୍ୱ ନେଇଥିଲେ। ସେହି ସମୟରେ ଦଳ ବଦଳ ଆଇନ ବଳରେ ୪ ଜଣ ଏମ୍‌ପି ଲୋକ ସଭା ସଦସ୍ୟତା ହରାଇଥିଲେ। ଏହି ଆଇନ ବଳରେ ମୁଫ୍‌ତି ମହମ୍ମଦ ସୟିଦ (୧୯୮୯), ସତ୍ୟପାଲ ମଲ୍ଲିକ (୧୯୮୯), ଶରଦ ଯାଦବ (୨୦୧୭) ଓ ଅଲି ଅନ୍‌ଓ୍ବର (୨୦୧୭) ରାଜ୍ୟ ସଭାର ସଦସ୍ୟତା ହରାଇଥିଲେ।

Share